ଓଡ଼ିଶାକୁ ପୁଣି ବାତ୍ୟା ଭୟ, ୧୭ରେ ଛୁଇଁବ ସ୍ଥଳଭାଗ !
ଭୁବନେଶ୍ୱର : ପ୍ରତିବର୍ଷ ପାର୍ବଣ ସମୟରେ ଓଡ଼ିଶାକୁ ବାତ୍ୟାର ସମ୍ଭାବନା ଅଧିକ ରହିଥାଏ । ତେବେ ଏହି ଦଶହରାରେ ସମୟରେ ପୁଣି ବାତ୍ୟାର ଭୟ ଲୋକଙ୍କୁ ଅସ୍ଥିର କରିଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ଚାଲିଥିବା ବେଳେ ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ I ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇବା ପରେ ସ୍ଥଳଭାଗକୁ ଛୁଇଁବ। ଏହି ୫ଦିନରେ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି। କିନ୍ତୁ ବାତ୍ୟା ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ବୋଲି କୁହାଯାଉଛି। ପାଣିପାଗ ମଡେଲ୍ ୱିଣ୍ଡି ଏବଂ ସ୍କାଏମେଟ୍ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ୱିଣ୍ଡିର ଆକଳନ କହୁଛି ଯେ ଏହା ପୁରୀରୁ ପାରାଦୀପ ମଝିରେ ସ୍ଥଳଭାଗ ଛୁଇଁବ। ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ। କେବଳ ବେସରକାରୀ ପାଣିପାଗ ମଡେଲ୍ ନୁହେଁ। ଆଇଏମ୍ଡି ବି ଆକଳନ କରୁଛି ଯେ ଲଘୁଚାପ ହେଉ କି ବାତ୍ୟା, ଯାହା ବି ହେବ ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ।