ଓଡ଼ିଶାରୁ ଆଇସିସିଆର କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ପ୍ରେରଣା ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜୁଲାଇ ୧ ତାରିଖରୁ ବନ୍ଦ ହୋଇଯିବ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର)ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ । ଚଳିତ ମାସ ହେବ ଭୁବନେଶ୍ୱ ର ପଳାଶପଲ୍ଲୀସ୍ଥିତ ଏହି ଆଞ୍ଚଳିକ କାର୍ଯ୍ୟାଳୟର ଶେଷ କାର୍ଯ୍ୟମାସ । ଏନେଇ ଆସିସିଆର ର ଆଞ୍ଚଳିକ ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହି କାର୍ଯ୍ୟାଳୟକୁ ବନ୍ଦ କରା ଯାଇ କୋଲକତା ଜୋନ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା ସମ୍ପର୍କିତ କାର୍ଯ୍ୟ କରିବାକୁ ସମସ୍ତ ପ୍ରକିୟା ଚୂଡ଼ାନ୍ତ ପର୍ଯ୍ୟାଳୟରେ ପହଞ୍ôଚଛି ଯାହାକୁ ନେଇ ଓଡ଼ିଶାର ସଂସ୍କୃତି ପ୍ରେମୀ, ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ସାମାଜିକ ଅନୁଷ୍ଠାନ ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ଓ ଓଡ଼ିଶାରୁ ଏହି କାର୍ଯ୍ୟାଳୟ ବନ୍ଦ କରିବା ଅପଚେଷ୍ଟାରୁ ନିବୃତ୍ତ ନରହିଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ । କାରଣ ଏହାଦ୍ୱାରା ଯେଉଁ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ସମ୍ଭବ ହେଉଥିଲା ସେଥିରେ ଯଥେଷ୍ଟ ପ୍ରତିବନ୍ଧକ ହେବ । ତେଣୁ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର ନ କରିବା ପାଇଁ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖି ଡଃ ଶ୍ରୀଚନ୍ଦନ ଅନୁରୋଧ କରିଛିନ୍ତି ଏ ସମ୍ପର୍କରେ ଯଥାଶୀଘ୍ର ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗ କରି ଏ ନିଷ୍ପତ୍ତିକୁ ବଦଳାଇବା ସହିତ ଏହା ପୂର୍ବବତ୍ ଓଡ଼ିଶାରେ କିପରି ରହିବ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ । ସେହିପରି ଏହି କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପୂର୍ବରୁ ଆଇସିସିଆର ପକ୍ଷରୁ ରାଜ୍ୟ ସରକାରଙ୍କୁ ଜାଗା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜାଗା ଯୋଗାଇ ନଦେବା ଦୁର୍ଭାଗ୍ୟଜନକ ବୋଲି ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ ଡଃ ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତି । ଏତଦ୍‌ବ୍ୟତୀତ ସେ ଚେତାବନୀ ଦେଇଛନ୍ତି ଯଦି, କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ପରିବର୍ତ୍ତନ ନ କରନ୍ତି ଓ ରାଜ୍ୟ ସରକାର ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ପ୍ରେରଣା ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ । ସେଥିପାଇଁ ଯେଉଁ ପରିସ୍ଥିତି ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ