ଓଡ଼ିଶାରେ ଓବିସି ଆରକ୍ଷଣ-ଆଶା ଓ ଆଶଙ୍କା
ଧୂଳେଶ୍ୱର ମାଣିଆ
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମ୍ଭେ ଆଜି ଓଡ଼ିଶାରେ ଓବିସି ଆରକ୍ଷଣ ନିମନ୍ତେ ଆଶା ଓ ଆଶଙ୍କା ପ୍ରକାଶ କରୁଅଛୁ । ବ୍ରିଟିଶ ରାଜତ୍ୱ କାଳରେ ଦକ୍ଷିଣ ଓ ପଶ୍ଚିମ ଭାରତରେ ଅନେକ ସମାଜ ସଂସ୍କାରକ ଦଳିତ ଓ ପଛୁଆ ବର୍ଗଙ୍କ ବିକାଶ ନିମନ୍ତେ ଅନେକ କାର୍ଯ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ପେରିୟର, ପଣ୍ଡିରୋରା, ତ୍ୟୋତିବା ଫୁଲେ, ଛତ୍ରପତି ସାହୁଜୀ ମହାରାଜ ଓ ବାବା ସାହେବ ଆମ୍ବେଦକରଙ୍କ ନାମ ଉଲ୍ଲେଖଯୋଗ୍ୟ । ବ୍ରିଟିଶ ସରକାର ପ୍ରଥମେ ପ୍ରେସିଡ଼େନ୍ସି ଓ ରାଜୁଡ଼ା ରାଜ୍ୟରେ ଦଳିତ ଓ ପଛୁଆବର୍ଗଙ୍କ ନିମନ୍ତେ ଆରକ୍ଷଣ ପ୍ରଦାନ କରିଥିଲେ । ୧୯୦୨ ମସିହାରେ ଛତ୍ରପତି ସାହୁଜୀ ମହାରାଜ କୋହ୍ଲାପୁର ରାଜ୍ୟରେ ଆରକ୍ଷଣ ସୁବିଧା ଦେଇଥିଲେ । ବ୍ରିଟିଶ ରାଜତ୍ୱ କାଳରେ ୧୮୮୧ରୁ ୧୯୩୧ ପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ହୋଇଥିଲା । ପରେ ପରେ ବରୋଦା ଓ ମହୀଶୁର ରାଜ୍ୟରେ ଓବିସିଙ୍କ ନିମନ୍ତେ ଆରକ୍ଷଣ ସୁବିଧା ଦିଆଯାଇଥିଲା । ୧୯୨୧ ମସିହା ବେଳକୁ ମାଡ୍ରାସ ପ୍ରେସିଡ଼େନ୍ସି ସମସ୍ତ ବର୍ଗଙ୍କୁ ଆରକ୍ଷଣ ସୁବିଧା ଦେଇଥିଲେ । ୧୯୨୭ ମସିହାରେ ପଛୁଆବର୍ଗଙ୍କ ହିତ ପାଇଁ ଆସିଥିବା ସାଇମନ କମିଶନଙ୍କୁ ମହାତ୍ମା ଗାନ୍ଧୀ ଓ କଂଗ୍ରେସ ବିରୋଧ କରୁଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା ଅନୁସାରେ ତତ୍କାଳୀନ ପଛୁଆବର୍ଗ ନେତୃବୃନ୍ଦ କଂଗ୍ରେସକୁ ସହଯୋଗ ଦେଇଥିଲେ । ସାଇମନ କମିଶନ ‘ଗୋ ବ୍ୟାକ୍’ ନାରା ଦେଶ ତମାମ ଦିଆଯାଇଥିଲା । କିନ୍ତୁ ବାବା ସାହେବ ଆମ୍ବେଦକର ସାଇମନ କମିଶନ ସପକ୍ଷରେ ଥିବାରୁ ତାଙ୍କୁ ଇଂରେଜ ମାନଙ୍କର ଦଲାଲ ବୋଲି କୁହାଗଲା । ୧୯୪୨ ମସିହାରେ ଡଃ ଆମ୍ବେଦକର ଅନୁସୂଚିତ ଜାତିଙ୍କ ନିମନ୍ତେ ଆରକ୍ଷଣ ସୁବିଧା ଦାବୀ କରିଥିଲେ । ପେରିୟର ସ୍ୱାଧିନତା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ଦୁଇଥର ଭେଟିଥିଲେ ଏବଂ ଦଳିତ ଓ ପଛୁଆ ବର୍ଗଙ୍କ ନିମନ୍ତେ ଆରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ଦାବୀ କରିଥିଲେ । ୧୯୪୬ ମସିହାରେ କ୍ୟାବିନେଟ ମିଶନ ଅନେକ ପ୍ରସ୍ତାବ ସହିତ ବିଭିନ୍ନ ବର୍ଗଙ୍କ ଜନସଂଖ୍ୟା ଅନୁସାରେ ରାଜନୈତିକ ଆରକ୍ଷଣ ଦେବା ପାଇଁ କହିଥିଲେ । ପରାଧୀନ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳରେ ସମାଜ ସଂସ୍କାରକଙ୍କ କାର୍ଯ୍ୟ ବିଷୟରେ କିଛି ପ୍ରକାଶ ପାଇନାହିଁ । ଯାହା ହେଉ ଶେଷରେ ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇଥିଲା ଏବଂ ଡଃ ଆମ୍ବେଦକର ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ହେଲେ ।
୧୯୫୦ ଜାନୁୟାରୀ ୨୬ ତାରିଖରେ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ପୂର୍ବରୁ ଦିଆଯାଉଥିବା ଆରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ହେଲା । ଆରକ୍ଷଣର ପୁନଃ ପ୍ରଚଳନ ଦାବୀ କରି ପେରିୟରଙ୍କ ନେତୃତ୍ୱରେ ଅଗଷ୍ଟ ୧୪ ତାରିଖରେ ବିରାଟ ଗଣ ବିପ୍ଲବ ସଂଗଠିତ ହୋଇଥିଲା । ଆଇନ ମନ୍ତ୍ରୀ ଡଃ ଆମ୍ବେଦକର ଏକ ସଂଶୋଧନ ଫଳରେ ସମ୍ବିଧାନ ଧାରା ୧୫ ସହିତ ୪ ଉପଧାରା ଓ ଧାରା ୧୬ ସହିତ ୪ ଉପଧାରା ସଂଯୋଗ କରାଗଲା । ଏହି ସଂଶୋଧନ ଫଳରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ପଛୁଆବର୍ଗଙ୍କୁ ଆରକ୍ଷଣ ବ୍ୟବସ୍ଥା କରିବାକୁ କ୍ଷମତା ପ୍ରଦାନ କରାଗଲା । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରାଜନୈତିକ ଆରକ୍ଷଣ ପ୍ରଥମେ ୧୦ ବର୍ଷ ଲାଗି ଦିଆଗଲା ।
୧୯୫୩ ମସିହାରେ କାକା କାଲେଲ୍କରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓବିସି କମିଶନ ବସିଥିଲା । କମିଶନ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ନିମନ୍ତେ ଦେଇଥିବା ପ୍ରସ୍ତାବ ଗୁଡ଼ିକ ସରକାର ଗ୍ରହଣ କରିଥିଲେ । ଓବିସିଙ୍କ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗ୍ରହଣ ହୋଇ ନଥିଲା । ଏପରିକି ୧୯୬୧ ମସିହା ସୁଧା ଜାତିଭିତ୍ତିକ ଜନଗଣନା ସମ୍ପୂର୍ଣ୍ଣ କରିବା ପାଇଁ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇ ନଥିଲା । କିନ୍ତୁ ତାମିଲନାଡୁ ୧୯୫୦ରେ ପଛୁଆବର୍ଗଙ୍କ ନିମନ୍ତେ ୨୫ ପ୍ରତିଶତ ଆରକ୍ଷଣ ସୁବିଧା ଦିଆଯାଇଥିଲା । ଏହି ଆରକ୍ଷଣ ୧୯୭୧ ମସିହାରେ ୩୧ ପ୍ରତିଶତ ଏବଂ ୧୯୯୪ରେ ୬୯ ପ୍ରତିଶତ ଦେଇଛନ୍ତି । ଅଧିକାଂଶ ରାଜ୍ୟ ସମ୍ବିଧାନ ବ୍ୟବସ୍ଥାର ସୁବିଧା ନେଇ ସେମାନଙ୍କ ରାଜ୍ୟରେ ଓବିସିଙ୍କ ନିମନ୍ତେ ଆରକ୍ଷଣ ଦେଇଥିଲେ । ୧୯୭୯ ମସିହାରେ ମଣ୍ଡଳ କମିଶନ ବସିଥିଲା । କମିଶନ ୧୯୮୦ ମସିହାରେ ସେମାନଙ୍କର ସୁପାରିଶ ସରକାରଙ୍କୁ ଦେଇଥିଲେ । ଉକ୍ତ କମିଶନ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ଆରକ୍ଷଣ ସୁବିଧା ଦେଇଥିଲେ । ୧୯୯୦ ମସିହାରେ ଭାରତ ସରକାର ମଣ୍ଡଳ କମିଶନ ସୁପାରିଶକୁ ଗ୍ରହଣ କରିଥିଲେ । ସୁପ୍ରିମ କୋର୍ଟ ଏକ ଅଦେଶନାମାରେ କହିଥିଲେ ଯେ, ସମସ୍ତ ବର୍ଗଙ୍କୁ ଦିଆଯାଇଥିବା ଆରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବନାହିଁ । ଓବିସି ବର୍ଗରେ ଥିବା କ୍ରିମି ଲେୟରଙ୍କୁ ଏହି ଆରକ୍ଷଣ ସୁବିଧା ଦିଆଯିବ ନାହିଁ । ପଚାଶ ପ୍ରତିଶତ ଆରକ୍ଷଣକୁ ବଢାଇବା ନିମନ୍ତେ ଯଦି କିଛି ଯୁକ୍ତି ଥାଏ, ତେବେ ରାଜ୍ୟରେ ଓବିସି ଜନଗଣନା ଅନୁସାରେ ଦେବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିବେ । ପ୍ରସ୍ତାବକୁ ରାଜ୍ୟ ଓବିସି କମିଶନଙ୍କ ସୁପାରିଶ ସହ ଭାରତ ସରକାରଙ୍କୁ ଓ କୋର୍ଟଙ୍କୁ ଦେବେ । ପ୍ରକାଶଥାଉକି, ଓବିସିଙ୍କ ବିକାଶ ନିମନ୍ତେ ଗଠିତ କମିଶନଙ୍କୁ ଓଡ଼ିଶା ସରକାର ସହଯୋଗ ଦେଇନଥିଲେ । ଅଧିକନ୍ତୁ ମଣ୍ଡଳ କମିଶନ ରିପୋର୍ଟକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ସରକାର ସର୍ବୋଚ୍ଚ କୋର୍ଟରେ ପକ୍ଷଭୁକ୍ତ ହୋଇଥିଲେ ।
ଏହିଠାରୁ ଆରମ୍ଭ ହେଲା ଓଡ଼ିଶାରେ ଓବିସିଙ୍କ ଦୁର୍ଦ୍ଦଶା । ରାଜ୍ୟ ସରକାର ୧୯୯୪ ମସିହାରେ ୫୨ ପ୍ରତିଶତ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ଆରକ୍ଷଣ ଦେଇଥିଲେ । ଫଳରେ ରାଜ୍ୟର ସମୁଦାୟ ଆରକ୍ଷଣ ୬୫.୭୫ ପ୍ରତିଶତରେ ପହଞ୍ôଚଥିଲା । ବର୍ଦ୍ଧିତ ଆରକ୍ଷଣକୁ ବଳବତ୍ତର କରାଇବା ଦିଗରେ ସରକାର ସକ୍ଷମ ହୋଇପାରି ନାହାଁନ୍ତି । ବର୍ତ୍ତମାନ ରାଜ୍ୟରେ ଓବିସିଙ୍କ ନିମନ୍ତେ ୧୧.୨୫ ପ୍ରତିଶତ ଆରକ୍ଷଣ ରହିଅଛି । ରାଜ୍ୟ ସରକାର ୨୭ ପ୍ରତିଶତ ଆରକ୍ଷଣ ରକ୍ଷା କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ଓବିସି ଆରକ୍ଷଣ ଆଇନ ୨୦୦୮ରେ ପ୍ରଣୟନ କରିଥିଲେ । ଉକ୍ତ ଆଇନକୁ ସମ୍ବିଧାନର ନବମ ପରିଚ୍ଛେଦ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ ଜଣାଇଥିଲେ । ଅତିିରିକ୍ତ ତଥ୍ୟ ନ ପାଇବାରୁ ଭାରତ ସରକାର ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରିପାରି ନଥିଲେ । ରାଜ୍ୟ ସରକାର ସ୍ୟାଟ୍, ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମ କୋର୍ଟରେ ରାଜ୍ୟ ଆରକ୍ଷଣ ଆଇନକୁ ରକ୍ଷା କରିପାରି ନାହାଁନ୍ତି ।
ଗତ ୧୪.୦୭.୨୦୧୧ରେ ରାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ତାମିଲନାଡୁ କିପରି ଦେଇଥିବା ୬୯ ପ୍ରତିଶତ ଆରକ୍ଷଣ ରକ୍ଷା କରିପାରିଲେ, ସମ୍ବାଦର ଏକ କାଗଜ କ୍ଲିପ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲୁ । ତାମିଲନାଡୁ ବାଟରେ ଯିବା ପାଇଁ ଆମ୍ଭେ ବାରମ୍ବାର ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଇଛୁ । ଗତ ତା ୨୮.୪.୧୨ରେ ପ୍ରଗତିବାଦୀରେ ପ୍ରକାଶିତ ସାଂସଦ ଶ୍ରୀ ବି.ସି. ପରିଡ଼ାଙ୍କ ପ୍ରଶ୍ନରେ ମନ୍ତ୍ରୀ କପିଲ ଶିବଲ ଓଡ଼ିଶା ଆରକ୍ଷଣ ଆଇନ ବିଷୟରେ ସୁପ୍ରିମ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଓବିସିଙ୍କୁ ଆରକ୍ଷଣ ଦେବାକୁ ହେଲେ, ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ପଡ଼ିବ । ସେଥିପାଇଁ ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟା ଆକଳନ କରିବାକୁ ପଡ଼ିବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓବିସିକୁ ଅଧିକ ଆରକ୍ଷଣ ଦେବା ଦିଗରେ ଓବିସି ଜନଗଣନା କରିବାକୁ ଯାଉଛନ୍ତି । ଓଡ଼ିଶାରେ ଓବିସି ବର୍ଗଙ୍କ ସଂଖ୍ୟା ଆକଳନ ହୋଇପାରିଲେ, ଉପଯୁକ୍ତ ପ୍ରସ୍ତାବ ପ୍ରସ୍ତୁତ କରିବରେ ଅସୁବିଧା ହେବନାହିଁ । ପ୍ରଥମେ ୨୦୧୧ରେ ହୋଇଥିବା ଜାତିଭିତ୍ତିକ ଅର୍ଥନୈତିକ ବିକାଶ ଜନଗଣନା ପ୍ରକାଶ କରିବାକୁ ଅନୁରୋଧ । ପ୍ରସ୍ତାବ ପ୍ରସ୍ତୁତ ଦିଗରେ ଏହାର ତଥ୍ୟ ଉପଯୋଗ ହୋଇପାରେ । ଅଧିକନ୍ତୁ ୧୯୩୧ ମସିହା ଜାତିଭିତ୍ତିକ ଜନଗଣନାକୁ ଭିତ୍ତି କରି ୨୦୧୧ ମସିହା ସୁଦ୍ଧା ଏକ ଜାତିଗତ ଜନଗଣନା ରୂପରେଖ ଦିଆଯାଇ ପାରିବ ।
ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଅନ୍ୟ କେତେକ ରାଜ୍ୟ ବହୁ ବର୍ଷ ପୂର୍ବରୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଦେଇ ଆସୁଛନ୍ତି । ଏହାଦ୍ୱାରା ଓଡ଼ିଶା ଓବିସିଙ୍କର ଅପୂରଣୀୟ କ୍ଷତି ହୋଇଅଛି । ପରବର୍ତ୍ତୀ ବଂଶଧର ଏଥିପାଇଁ ଆମ୍ଭଙ୍କୁ କ୍ଷମା ଦେବେ ନାହିଁ । ଅବଶ୍ୟ ହଷ୍ଟେଲ ଓ ଶିକ୍ଷାବୃତ୍ତି ଦେବାରେ ଡ଼େରି ହେଲେ ମଧ୍ୟ କିଛି ପଦକ୍ଷେପ ନେଇଛନ୍ତି । ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିବାକୁ ଅନୁରୋଧ । ନିକଟ ଅତୀତରେ ଜଣେ ଅର୍ଥଶାସ୍ତ୍ରବିତ୍, ସମାଜସେବୀ ଓ ସାମାଜିକ କର୍ମୀ ଜାଁ ଦ୍ରେଜ ଓଡ଼ିଶା ଆସିଥିବା ବେଳେ ସମାଜ ପ୍ରତିନିଧି ସଙ୍ଗେ ଆଲୋଚନା କରି ସ୍ପଷ୍ଟ କରିଥିଲେ ଯେ, ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ଅନୁସାରେ ଭାରତ ପୃଥିବୀର ସର୍ବାଧିକ ଅସମାନତା ପୂର୍ଣ୍ଣ ଦେଶ । ଏହା ଆୟ ଓ ସମ୍ପତ୍ତି ପରିପ୍ରେକ୍ଷୀରେ ଏକ ରିପୋର୍ଟ । ଭାରତ ହେଉଛି ବିଶ୍ୱର ସର୍ବାଧିକ ବୈଷମ୍ୟ ରହିଥିବା ଦେଶ । ଏହା ବ୍ୟତୀତ ଜାତି ଓ ଲିଙ୍ଗ ଦୃଷ୍ଟିରୁ ମଧ୍ୟ ଭାରତରେ ଅସମାନତା ଅତ୍ୟଧିକ ଏବଂ ଏହି ଅସମାନତା ଗୋଟିଏ ଆରଟିକୁ ସୁଦୃଢ କରିଥାଏ । ଅସମାନତାକୁ କ୍ରମଶଃ କମ୍ କରିବାରେ କେତେକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଜାତିଗତ ଜନଗଣନା ନିଜକୁ ଚିହ୍ନିବାରେ ସହାୟତା କରିବା । ଏହା ଭାରତର ଅର୍ଥ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥାରେ ଜାତିର ନିରନ୍ତର ପ୍ରଭାବକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିବ । ପେରିୟର ୧୯୩୩ରେ ଜେଲରେ ଥିବା ସମୟରେ ରାଜାଜୀଙ୍କୁ ଭେଟିଥିଲେ । ରାଜାଜୀ ତାଙ୍କୁ କଂଗ୍ରେସରେ ମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସେ ଉତ୍ତରରେ କହିଥିଲେ, ଯଦି ବିଧାନ ପରିଷଦରେ ଏବଂ କର୍ମସଂସ୍ଥାନ କ୍ଷେତ୍ରରେ କଂଗ୍ରେସ ଦଳିତ ଓ ପଛୁଆବର୍ଗଙ୍କୁ ଆରକ୍ଷଣ ବ୍ୟବସ୍ଥା କରିବେ, ତେବେ ସେ କଂଗ୍ରେସରେ ଯୋଗଦେବେ । ଏହି ସର୍ତ୍ତରେ କଂଗ୍ରେସ / ଗାନ୍ଧୀ ସମ୍ମତ ଦେଲେ ନାହିଁ । ପେରିୟରଙ୍କ ମତରେ ଆମ୍ଭେ ସାମାଜିକ ଗଣତନ୍ତ୍ର ଉପରେ ବିଶ୍ୱାସ କରୁ । ସାମାଜିକ ଗଣତନ୍ତ୍ର ଆଣିଦେବ ସମାନତା । ଦଳିତ ଓ ପଛୁଆବର୍ଗଙ୍କୁ ଉପଯୁକ୍ତ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ନ ମିଳିଲେ, ସମତା ଆସିବ ନାହିଁ । ଯଦି ଆମ୍ଭେ ସ୍ୱାଧୀନତା ଚାହୁଁ, ଅନ୍ୟର ଆତ୍ମସମ୍ମାନ ପ୍ରତି ଆମକୁ ସମ୍ମାନ କରିବାକୁ ପଡ଼ିବ । ଏହି ସ୍ଥିତିରେ ସମାଜରେ ଯେକୌଣସି ସମସ୍ୟା ଠାରୁ ଆତ୍ମ ସମ୍ମାନ ଜନିତ ସମସ୍ୟା ଏକ ଗୁରୁତର ପ୍ରଶ୍ନ । ମୋର ଆଶା ଓ ଭରସା ଓଡ଼ିଶା ସରକାର ରାଜ୍ୟର ଓବିସିବର୍ଗଙ୍କ କଲ୍ୟାଣ ନିମନ୍ତେ ଉଚିତ ପଦକ୍ଷେପ ନେବେ ।
ଗତ ତା ୧୧.୧୧.୧୧ ରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ଓବିସି ବର୍ଗୀକରଣ ନେଇ ୟୁପିଏ ସରକାରଙ୍କର ପରାମର୍ଶ ଉପରେ ଏକ ସମ୍ବାଦ ପରିବେଷଣ ହୋଇଥିଲା । ଏକ ସରକାରୀ ପ୍ୟାନେଲ ଏହି ବର୍ଗୀକରଣକୁ ଅନୁମୋଦନ କରିଛନ୍ତି । ଶ୍ରୀ ଏମ୍.ଏନ୍. ରାଓ ଅଧ୍ୟକ୍ଷ, ଜାତୀୟ ଓବିସି କମିଶନ ପ୍ରକାଶ କରିଥିଲେ ଯେ, ଓବିସିବର୍ଗଙ୍କୁ ଦୁଇଭାଗ କରାଯିବ । ତାହା ହେଲା ପଛୁଆ ଓ ଅତି ପଛୁଆ । ଏହାଦ୍ୱାରା ସମାଜରେ ରହୁଥିବା ଅତି ପଛୁଆବର୍ଗ ଅଧିକ ସୁବିଧା ପାଇପାରିବେ । ଏହା ଓଡ଼ିଶା ଓବିସିଙ୍କ ନିମନ୍ତେ ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ । ତାମିଲନାଡୁ ସମେତ ଅନେକ ରାଜ୍ୟ ଏହା କାର୍ଯ୍ୟକାରୀ କରୁଛନ୍ତି । ତା ୧୬.୯.୨୦୧୭ରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଅଭିମତକୁ ଆଧାର କରି ଆମ୍ଭେ ଆଶା କରିଥିଲୁ କେନ୍ଦ୍ରରେ ବିଜେପି ସରକାର ଜାତୀୟ ଓବିସି କମିଶନକୁ ସାମ୍ବିଧାନିକ ସ୍ୱୀକୃତ ଦେବେ, ଓବିସି ବର୍ଗୀକରଣ ଦିଗରେ ନିଷ୍ପତ୍ତି ନେବେ ଏବଂ ଓବିସିଙ୍କୁ ଦିଆଯାଇଥିବା ସୁବିଧା ବନାମ ସାମାଜିକ ନ୍ୟାୟ ଉପରେ ସମୀକ୍ଷା କରିବେ । ତାହା ହୋଇପାରିଲା ନାହିଁ । ବର୍ତ୍ତମାନ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ପ୍ରସ୍ତାବରୁ ଓହରି ଯାଇଛନ୍ତି । ଆମେରିକା ସରକାର ଆବଶ୍ୟକୀୟ ସ୍ୱୀକୃତି ସୂଚକ କାର୍ଯ୍ୟ (ଇଲଲସକ୍ସଜ୍ଞବଗ୍ଧସଙ୍ଖର ବମଗ୍ଧସକ୍ଟଦ୍ଭ) ଜରିଆରେ କଳା ଲୋକଙ୍କ ବିକାଶ କରି ଆସୁଛନ୍ତି । ଫଳରେ ଆମେରିକାରେ ଥିବା କଳା ଧଳା ଭେଦଭାବ କ୍ରମଶଃ ପ୍ରଶମିତ ହେଉଛି । କଳା ଲୋକମାନେ ଶିକ୍ଷା, କ୍ରିଡ଼ା, ଚଳଚ୍ଚିତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ଅଗ୍ରଣୀ ଅଛନ୍ତି । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି କରିଛନ୍ତି । କଳା ପୁଞ୍ଜିବାଦୀ (ଈକ୍ଷବମଳ ଉବକ୍ଟ୍ରସଗ୍ଧବକ୍ଷସଗ୍ଦଜ୍ଞ) ବିକାଶିତ ହେଉଅଛି । କଳା ପୁଞ୍ଜିବାଦ ଜଣେ ଓବାମାଙ୍କୁ ଦେଶର ଶୀର୍ଷ ସ୍ଥାନରେ ବସାଇ ପାରିଥିଲା । ଆମ୍ଭ ଦେଶରେ ଦକ୍ଷିଣ ଓ ପଶ୍ଚିମ ରାଜ୍ୟରେ ଥିବା ଓିବିସି ବର୍ଗଙ୍କର ଅଧିକ ଉନ୍ନତି ହୋଇପାରିଛି । ସେମାନେ ଓବିସି ଶିଳ୍ପ ଓ ବାଣିଜ୍ୟ ସଂଘ ଜରିଆରେ ଓବିସିବର୍ଗଙ୍କୁ କର୍ମଯୋଗାଣ କରିପାରୁଛନ୍ତି । ଭାରତର ବଡ଼ ବଡ଼ ସହରରେ ପ୍ରଦର୍ଶନୀ ଜରିଆରେ ପ୍ରଚାର ଓ ପ୍ରସାର କରିପାରୁଛନ୍ତି । ତେଣୁ କିଛି କିଛି ପାଇବାକୁହେଲେ ଆମ୍ଭଙ୍କୁ ସଂଗ୍ରାମ କରିବାକୁ ପଡ଼ିବ । ଜାତି ମହାସଂଘ କରନ୍ତୁ, ଆମ୍ଭର କିଛି କହିବାର ନାହିଁ । କିନ୍ତୁ ଓବିସି ସଂଗଠନକୁ ମଜଭୁତ କରାଇବା ଦିଗରେ କିଛି ପଦକ୍ଷେପ ନିଅନ୍ତୁ । ପ୍ରତ୍ୟେକ ସବ୍ଡ଼ିଭିଜନ ଓ ଜିଲ୍ଲାସ୍ତରରେ ପଛୁଆବର୍ଗ ବିକାଶ ମଞ୍ଚର ଶାଖା ଅଫିସ୍, ସଂଗଠନ ହେଉ । ଏଥିପାଇଁ ସଚେତନତା ଦରକାର । ପୁଣି ଥରେ ସଂକଳ୍ପ ନେବା, ସଂଗଠିତ ହେବା ଓ କାର୍ଯ୍ୟ କରିବାକୁ ଅନୁରୋଧ ।
କାର୍ଯ୍ୟକାରୀ ସଭାପତି
ଓଡ଼ିଶା ପଛୁଆବର୍ଗ ବିକାଶ ମଞ୍ଚ
ଭୁବନେଶ୍ୱର
ମୋ : ୯୪୩୯୫୧୩୦୯୭


