ଓଡ଼ିଶାରେ କାଲିଠୁ ନାଇଟ୍ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ଲକଡାଉନ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶାରେ ବଢ଼ୁଥିବା କରୋନାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଆସନ୍ତାକାଲି ଠାରୁ ଲାଗୁ ହେବ । ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ନିଜ ଆଇକାର୍ଡ ଚେକିଂ ସମୟରେ ଦେଖାଇବେ । ନାଇଟ୍ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।