ଓଡ଼ିଶାରେ ଦୋଳଯାତ୍ରା

ବିପିନ ବିହାରୀ ମହାନ୍ତି
ଦୋଳୋତ୍ସବ ବା ବସନ୍ତୋତ୍ସବ ଏକ ଜାତୀୟପର୍ବ ହେଲେ ହେଁ, ଓଡ଼ିଶାରେ ଏହି ଉତ୍ସବ ବା ଯାତ୍ରାକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ଗୁରୁତ୍ୱ ଦିଆଯାଏ । ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ୍ ଶତାନନ୍ଦଙ୍କ ‘ଶତାନନ୍ଦ ସଂଗ୍ରହ’ ଅନୁସାରେ ହିସାବ କଲେ ଓଡ଼ିଶାରେ ଏହା ଦୀର୍ଘ ୮୦୦ବର୍ଷ ଧରି ପାଳିତ ହୋଇ ଆସୁଅଛି । ଏହିଯାତ୍ରା ଫଗୁଣ ଶୁକ୍ଲ ଦଶମୀଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପଞ୍ଚମୀ ବା ସ୍ଥାନ ବିଶେଷରେ କୃଷ୍ଣ ଦଶମୀ ପର୍ଯ୍ୟନ୍ତ ମହା ସମାରୋହରେ ଚାଲେ । ଗୋଟିଏ ପଟେ ଋତୁରାଜ ବସନ୍ତଙ୍କର ଆଗମନକୁ ସ୍ୱାଗତ କରିବାରେ ଉଦ୍ଦିଷ୍ଟ ବୋଲି କୁହାଯାଉଥିବା ବେଳେ, ଅନ୍ୟପକ୍ଷରେ ଏହା ବସନ୍ତୋଉତ୍ସବର ମୁଖ୍ୟ ଆରାଧ୍ୟ ଠାକୁର ‘ଶ୍ରୀ ରାଧାକୃ୍ଷ୍ଣ’ଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଗ୍ରହଣ କରାଯାଏ । ଅନ୍ୟାନ୍ୟ ଉତ୍ସବରେ ଠାକୁରଙ୍କ ଦର୍ଶନାର୍ଥେ ଏବଂ ଭୋଗରାଗ ପାଇଁ ଭକ୍ତମାନେ ମନ୍ଦିରକୁ ଯାଉଥିବା ବେଳେ, ଏହି ଉତ୍ସବରେ ଠାକୁରମାନେ ଦୋଳ ବା ବିମାନରେ ବସି ଭକ୍ତଙ୍କ କାନ୍ଧରେ ଗ୍ରାମମଧ୍ୟକୁ ପ୍ରବେଶ କରି ପ୍ରତିଟି ଦ୍ୱାରେ ଉପସ୍ଥିତ ହୁଅନ୍ତି ଏବଂ ଭକ୍ତମାନେ ଠାକୁରମାନଙ୍କୁ ଅବିର, ଭୋଗ ଓ ନୈବେଦ୍ୟ ଅର୍ପଣ କରିଥାନ୍ତି । ରାଧାକୃଷ୍ଣ ଦୋଳରେ ବିଜେ କରି ଗ୍ରାମ ପରିକ୍ରମା କରନ୍ତି ବୋଲି ଏହାର ନାମ ଦୋଳଯାତ୍ରା । ଏହି ଯାତ୍ରା ଦର୍ଶନରେ ପାପକ୍ଷୟ ଏବଂ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ଶାସ୍ତ୍ରମାନେ ମତ ଦିଅନ୍ତି!
ଞ୍ଚ ନରୋ ଦୋଳଗତଂ ଦୃଷ୍ଟା ଗୋବିନ୍ଦଂ ତ୍ରିଦଶଚ୍ଚିତଂ,
ଫାଲଗୁନ୍ୟଂ ସଂଶଯତୋ ଭୂତ୍ୱା ଗୋବିନ୍ଦସ୍ୟ ପୁରଂ ।ା
ଞ୍ଚ ଦୋଳେ ଚ ଦୋଳ ଗୋବିନ୍ଦଂ, ଚାପେଚ ମଧୁସୂଦନଂ
ରଥେତୁଂ ବାମନଂ ଦୃଷ୍ଟ୍ୟା ପୁନର୍ଜନ୍ମ ନବିଦ୍ୟତେ ।ା
ରାଧାକୃଷ୍ଣଙ୍କର ଦୋଳ ବିଜେ ନେଇ ଅଚ୍ୟୁତାନନ୍ଦ ଯାହା କହିଛନ୍ତି ସେଥିରୁ କିଛିଟା ପଙକ୍ତି ଏଠାରେ ଉଦ୍ଧୃତ କଲୁ ।
ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମାନନ୍ଦ ।ା
ଅବିର ସଙ୍ଗେ ଝାଲେରୀ ମିଶାଇ, ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ
ମୋ କାହ୍ନୁରେ – ବାରମାସୀ କୋଇଲି ।ା
‘ରାମାୟଣ’ ଦଶରଥଙ୍କର କୈକେୟୀଙ୍କ ପ୍ରତି ଏକ ପ୍ରତିଶ୍ରୁତି ବଦ୍ଧତାର ଫଳସ୍ୱରୂପ ପରି ଦୋଳୋତ୍ସବର ଫଗୁଖେଳ କୃଷ୍ଣଙ୍କର ରାଧାଙ୍କ ପ୍ରତି ଏକ ଅଙ୍ଗୀକାର ବଦ୍ଧତାର ନିଦର୍ଶନ ବୋଲି କୁହାଯାଏ । ଏନେଇ ଅଚ୍ୟୁତାନନ୍ଦ ପୁନଶ୍ଚ କୁହନ୍ତି :
ଯେତେ ଦୂର ଆମେ ଗୋପପୁରେ ରହିଥିବା
କହୁଅଛି ବୃନ୍ଦାବନେ ଆମେ କେଳି ଆଚରିବା ।ା
ଏହି ଫଗୁଣରେ ଦୋଳ ଗୋବିନ୍ଦ ବୋଲାଇ,
ଫଗୁ ଖେଳୁଥିବା ଆମେ ଚଉଦୋଳେ ରହି ।ା
– ଗୋପାଳ ଓଗାଳ
ଏହି ଉତ୍ସବରେ ଠାକୁରମାନଙ୍କ ଗ୍ରାମ ପରିକ୍ରମା ବେଳେ ଫଗୁ ଓ ଝାଲେରୀ ଇତ୍ୟାଦି ସହ ଭୋଗ ଅର୍ପଣ କରାଯାଏ । ଏହିପୁରି ବୁଲି ଭୋଗ ଖିଆକୁ ଚାଚେରୀ ଭୋଗ କୁହାଯାଏ । ଚାଚେରୀ ଭୋଗ ଖିଆବେଳେ ଗ୍ରାମଗୁଡ଼ିକ ବିଶେଷ କରି କେଉଟମାନଙ୍କର ଘୋଡ଼ା ନାଚ, ଗଉଡ଼ମାନଙ୍କର ଲଉଡ଼ି ଖେଳ, ଚଡ଼େୟା ଚଡ଼େୟାଣୀଙ୍କ ଗୀତିନାଟ୍ୟ, ଶଙ୍ଖଧ୍ୱନି, ବଂଶୀବାଦନ, ସଂକୀର୍ତ୍ତନ ଏବଂ ମଶାଲର ରୋଷଣୀ ପଟୁଆରରେ ପ୍ରକମ୍ପିତ ହୋଇ ଉଠୁଥାଏ । ଠାକୁରମାନଙ୍କର ଗ୍ରାମ ପରିକ୍ରମା ଓ ଚାଚେରୀ ଭୋଗଖିଆ ଫଗୁଣ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଶୁଦ୍ଧା ସରିଯାଇଥାଏ । ପୂର୍ଣ୍ଣମୀ ଦିନ ଆରମ୍ଭର ୁ ଦୋଳ ମେଳଣ । ଏହି ମେଳଣ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ମୁଖ୍ୟ ଗାଁର ଗାଁ ମୁଣ୍ଡ କୋଉ ତୋଟା ବା ଆମ୍ବ ତୋଟା ଗହଣରେ ପଡ଼ିଆରେ ଅନୁଷ୍ଠିତ ହୁଏ । ଏହି ମେଳଣର ମୁଖ୍ୟ ଦେବତା ଯିଏ ସିଏ ଅନ୍ୟଗ୍ରାମ ବା ଅନ୍ୟ ଦେବତାମାନଙ୍କୁ ନିମନ୍ତ୍ରଣ କରିଥାନ୍ତି ଏବଂ ସେମାନେ ଏଥିରେ ଯୋଗ ଦିଅନ୍ତି ।
ଦୋଳ ପଡ଼ିଆରେ ଠାକୁରମାନେ ସ୍ଥାନୀୟ ବ୍ୟବସ୍ଥା ଅନୁଯାୟୀ ଦିନେ ବା ଦୁଇଦିନ ରୁହନ୍ତି । ଏହି ସମୟରେ ଠକୁରମାନଙ୍କର ସଭାହୁଏ ବୋଲି ବିଚାର କରାଯାଏ । ଏଠାରେ ସୂଚାଇ ଦେଉ ଯେ ଯଦିଓ ଦୋଳୋତ୍ସବର ମୁଖ୍ୟ ଠାକୁର ହେଉଛନ୍ତି ଶ୍ରୀ ରାଧା-କୃଷ୍ଣଙ୍କର ଯ ୁଗଳମୂର୍ତ୍ତି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ