ଓଡ଼ିଶାରେ ପରିବର୍ତ୍ତନ ହିଁ ଏକମାତ୍ର ବିକଳ୍ପ: ବୈଜୟନ୍ତ ରେମୁଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଆଜି ବାଲେଶ୍ୱର ସଦର ବ୍ଲକର ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ କସବାର ମଣିନାଗେଶ୍ୱର ମଣ୍ଡଳରେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ତଥା ସଦର ବିଜେପି ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ସଭାପତିତ୍ୱରେ ଏବଂ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ଓ ପ୍ରବକ୍ତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରର ସ୍ଥାଣୁତା, ଅପାରଗତା ଏବଂ ଓଡ଼ିଶା ବିକାଶ ବିରୋଧି କାର୍ଯ୍ୟକୁ ଅତି କଠୋର ଶବ୍ଦରେ ନିନ୍ଦା କରିବା ସହିତ ଆଗାମୀ ନିର୍ବାଚନରେ ୧୯ ବର୍ଷର ଦୁର୍ନୀତି ଗ୍ରସ୍ତ ଓ ଜନ ବିରୋଧି ନବୀନ ସରକାରକୁ ବଙ୍ଗୋପସାଗରକୁ ଫିଙ୍ଗିଦେବା ପାଇଁ ଆହ୍ୱାନ ଦେଇଥିଲେ । ‘ନବୀନ ସରକାର, ବଦଳିବା ଦରକାର’ ନାରାରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଅଭିନେତ୍ରୀ ଅନୁ ଚୌଧୁରୀ ନବୀନ ସରକାରକୁ ନିକମ୍ମା କହିବା ସହିତ ସରଳ ଓଡ଼ିଆଙ୍କ ବିଶ୍ୱାସରେ ବିଷ ଦେବାର ପରିଣାମ ନବୀନ ସରକାରକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ । ବାଲେଶ୍ୱର ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ରେମୁଣା ବାସୀଙ୍କୁ ମୋଦିଜୀଙ୍କ ‘ମୋ ଆଶା, ନୂଆ ଓଡ଼ିଶା’ ଗଠନରେ ସ୍ତମ୍ଭ ହେବା ପାଇଁ ନିବେଦନ କରିବା ସହିତ ଭାରତୀୟ ଜନା ପାର୍ଟିକୁ ଆସନ୍ତା ନିର୍ବାଚନରେ ବିପୁଳ ସମର୍ଥନ ଦେଇ ଜୟଯୁକ୍ତ କରିବା ଆଗ୍ରହ କରିଥିଲେ । ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ଶୁଭଙ୍କର ମହାପାତ୍ର, ପର୍ଶୁରାମ ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଅଭିଭାଷଣ ରଖିଥିଲେ । ଏହି ସମାବେଶରେ ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର, ଜିଲ୍ଲା ଉପ ସଭାପତି ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶୋଭାନା ମହାନ୍ତି, ରେମୁଣା ପ୍ରଭାରୀ ନଳିନୀକାନ୍ତ ମହାପାତ୍ର, ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ, ଯୁବମୋର୍ଚ୍ଚା ଉପ ସଭାପତି ବିକାଶ ପାଢୀ, ରିତା ପ୍ରଧାନ, ପିଣ୍ଟୁ ପଣ୍ଡା, କୃଷ୍ଣ ଶାହା, ଗୁଡୁ ପଞ୍ଚାୟତ ସରପଞ୍ଚ ଲମ୍ବୋଧର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।