ଓଡ଼ିଶାରେ ହେବ ପ୍ରଥମ ସିନ୍‌ଗ୍ୟାସ ପ୍ଲାଣ୍ଟ,ଫିକି ଇଣ୍ଡିଆ ଗ୍ୟାସ ଭିତ୍ତିଭୂମି ସମ୍ମିଳନୀରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାରେ ସିନ୍‌ଗ୍ୟାସ (ସିନ୍ଥେସିସ୍ ଗ୍ୟାସ୍‌) ପ୍ଲାଣ୍ଟ ସ୍ଥାପନ ହେବ । ଏଥିପାଇଁ ଟେଣ୍ଡର ଡକାଯାଇଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏହି ସୂଚନା ଦେଇଛନ୍ତି । ଶିଳ୍ପସଂଘ ଫିକି ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ‘ଇଣ୍ଡିଆ ଗ୍ୟାସ ଭିତ୍ତିଭୂମି ସମ୍ମିଳନୀ ୨୦୧୯’ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ଦେଶର ପ୍ରଥମ ଥର ପାଇଁ କୋଇଲାରୁ ସିନଗ୍ୟାସ ପ୍ରସ୍ତୁତି ପାଇଁ ଯୋଜନା ହୋଇଛି । ଅଧିକ ପାଉଁଶ ବାହାରୁଥିବା କୋଇଲା ଓ ପେଟକୋନକୁ ମିଶାଇ ସିନ୍‌ଗ୍ୟାସର ବହୁତ ବଡ଼ ନେଟ୍‌ୱାର୍କ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଦେଶର ପ୍ରଥମ ସିନ୍‌ଗ୍ୟାସ ପ୍ଲାଣ୍ଟ ସ୍ଥାପନ ପାଇଁ ଏବେ ଟେଣ୍ଡର ପ୍ରକ୍ରିୟା ସରିଛି । ଖୁବ୍ ଶୀଘ୍ର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚାଲୁ ହେବ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଘରୋଇ କୋଇଲରୁ ସିନ୍ଥେସିସ୍ ଗ୍ୟାସ୍ ବାହାର କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଗ୍ୟାସ୍ କ୍ଷେତ୍ରକୁ କିଭଳି ଆଗକୁ ବଢ଼ାଯିବା, ତାହା ଏବେ ପ୍ରମୁଖ ଆହ୍ୱାନ । ୨୫-୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ୱେଷଣକୁ ପ୍ରାଥମିକତା ଦିଆଯାଇଥିଲା । ମାତ୍ର ଦେଶର ଶକ୍ତି କ୍ଷେତ୍ରରେ ବର୍ତ୍ତମାନ ଗ୍ୟାସ ଏକ ମହତ୍ତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ବସ୍ତୁ ପାଲଟିଛି । ଫଳରେ ଭାରତର ପ୍ରାକୃତିକ ଗ୍ୟାସ ଉତ୍ପାଦନ ଓ ଯୋଗାଣରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ।
ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲଏନଜି ଗ୍ୟାସର ଉପଲବ୍ଧିତା ବି ବଢ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ