ଓଡ଼ିଶାରେ ୧୦% ଆରକ୍ଷଣ ଲାଗୁ କରିବା ପାଇଁ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପାର୍ଲାମେଣ୍ଟରେ ବହୁମତରେ ଗୃହିତ ୧୦% ଗରିବ ଆଧାରିତ ଆରକ୍ଷଣ ଆଇନ୍‌ରେ ପରିଣତ ହେବା ପରେ ଫେବୃୟାରୀ ମାସ ପହିଲାରୁ କେନ୍ଦ୍ର ସରକାର ଏହାକୁ ସମସ୍ତ ସରକାରୀ ଚାକିରୀ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅଧୀନ ଚାକିରୀ କ୍ଷେତ୍ରରେ ଲାଗୁ କରାଇ ନାହାଁନ୍ତି । ଏହି ଗରିବ ଆଧାରିତ ୧୦% ଆରକ୍ଷଣ ତୁରନ୍ତ ଓଡ଼ିଶାରେ ଲାଗୁ କରିବା ପାଇଁ କ୍ରାନ୍ତିବୀର ଫାଉଣ୍ଡେସନ ଓ ଅନ୍ୟ ସମଭାବାପନ୍ନ ସଂଗଠନମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ପିଏମ୍‌ଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କ୍ରାନ୍ତିବୀର ଫାଉଣ୍ଡେସନ ଆବାହକ ଆଶିଷ ଲେଙ୍କା ଓଡ଼ିଶା ସରକାରଙ୍କଏହି ଗାଲୁଆମୀ ନୀତିର ତୀବ୍ର ସମାଲୋଚନା କରିବା ସହ ପାର୍ଲାମେଣ୍ଟ ଅଧିବେଶନରେ ଏହି ଗରିବ ଆଧାରିତ ଆରକ୍ଷଣ ପାଇଁ ନବୀନ ସରକାରଙ୍କ ଦଳ ସହମତ ଥିଲାବେଳେ ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛି ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଇଂ ଦୀପକ ଜେନା ରାଜ୍ୟ ସରକାରଙ୍କ ଏହି ଢିଲା ମନୋଭାବ ଯୋଗୁଁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଛାତ୍ରଛାତ୍ରୀ ନିରୁତ୍ସାହିତ ହେଉଥିବା ଅଭିଯୋଗ କରିଥିଲେ । ଅନ୍ୟତମ ଛାତ୍ରନେତା ଶୁଭ୍ରଜିତ୍ ଦାଶ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର କାହିଁକି ସମ୍ବେଦନଶୂନ୍ୟ ବୋଲି ପ୍ରଶ୍ନ କରିଥିଲେ । ନିଜକୁ ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ସରକାର ଦାବି କରି ଆସୁଥିବା ନବୀନ ସରକାରଙ୍କ ବାସ୍ତବ ଚରିତ୍ର ତାଙ୍କର ଏହି ଆଚରଣରେ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । ସ୍ୱାମୀ ବିବେକାନନ୍ଦ ପାଠଚକ୍ର ପକ୍ଷରୁ ଦୀପକ କୁମାର ବରାଳ ଅନ୍ୟତମ ସଦସ୍ୟ ରୂପେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଏହି ମନମୁଖୀ ଶାସନର ତୀବ୍ର ନିନ୍ଦା କରିଥିଲେ । କ୍ରାନ୍ତିବୀର ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ଶୁଭ୍ରାଂଶୁ ଶେଖର ପାତ୍ର ଏହି ଆନ୍ଦୋଳନକୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଥିଲେ । ଓଡ଼ିଶା ମହିଳା ଅଧିକାର ମଞ୍ଚର ସଭାପତି ବନଜା ବାସିନୀ ତ୍ରିପାଠୀ ଏହି ବିକ୍ଷୋଭରେ ଯୋଗଦେଇ ଏହା ଅନେକ ଗରିବ ଛାତ୍ରଛାତ୍ରୀଙ୍କ ଜୀବନ ଭବିଷ୍ୟତର ପ୍ରସଙ୍ଗ ହୋଇଥିବା ବେଳେ ସମସ୍ତ ଅଭିଭାବକ ଏଥିପାଇଁ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସାମାଜିକ କର୍ମୀ ତଥା ଯୁବ ଡ଼ାକ୍ତର କୈଳାସ ଚନ୍ଦ୍ର ବିଶ୍ୱାଳ ରାଜ୍ୟ ସରକାରଙ୍କ ଏହି ଗରିବ ଆଧାରିତ ଆରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ସହ ଏଥିରେ ରହିଥିବା ଘର ଓ ଜମିଜମା ସଂକ୍ରାନ୍ତୀୟ ବିସଙ୍ଗତିକୁ ଦୂର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । ଓଡ଼ିଶା ଇ.ଡବ୍ଲୁ.ଏସ୍‌. ଆନ୍ଦୋଳନର ସଂଯୋଜକ ଜେନୋରାଲ ଦୀନବନ୍ଧୁ ଷଡ଼ଙ୍ଗୀ ଓଡ଼ିଶାରେ ତୁରନ୍ତ ଏହି ୧୦% ଗରିବ ଆଧାରିତ ଆରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ରାଜ୍ୟର ଶାସକ ଦଳ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଭରପୁର ସମର୍ଥନ କରିଥିବା ବେଳେ ବର୍ତ୍ତମାନ ଏହାକୁ ଲାଗୁ ନ କରିବା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରାଧାଗୋବିନ୍ଦ ବିଶ୍ୱାଳ, ରଣଜିତ୍ ଦଳ, ଆକାଶ କୁମାର ସାହୁ, ଶୁଭମ ପଣ୍ଡା କାଶିବିଶ୍ୱନାଥ, ସୀତରାମ ଶତପଥୀ, ସଞ୍ଜୀବ ମିଶ୍ର, ସୁଜାତା ରାଉତ, ଲିନୁ ମିଶ୍ର ଓ ଲକ୍ଷ୍ମଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ