ଓଡ଼ିଶାର ପ୍ରଜ୍ଞାପନ ମେଢ : ଦିଲ୍ଲୀର ସାଧାରଣତଦନ୍ତ୍ର ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନ ପାଇବା ପ୍ରତିବାଦରେ ଆଜି ଓଡ଼ିଶା ପାଇକ ଏକାଡ଼େମୀ, ସମରକଳା ଏକାଡ଼େମୀ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ପ୍ରତିବାଦ ଧାରଣା, ଶୋଭାଯାତ୍ରା, ସଭା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପାଇକ ଆଖଡ଼ା ଦଳମାନେ ସେମାନଙ୍କର ସମରକଳା ପ୍ରଦର୍ଶନ କରି ପ୍ରଜ୍ଞାପନ ମେଢକୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ସ୍ଥାନ ଦେବାକୁ କହିଥିଲେ । ଏହି ଅବସରରେ ଓଡ଼ିଶା ପାଇକ ଏକାଡ଼େମୀର ସଭାପତି ତାଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ସାମାରିକ ପରମ୍ପରା ସମଗ୍ର ଭାରତ କେବଳ ନୁହେଁ ବିଶ୍ୱରେ ପରିଚିତ । ତେଣୁ ଦିଲ୍ଲୀର ସାଧାରଣତନ୍ତ୍ର ମେଢରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦେଖିବାକୁ ଦେଶ ବିଦେଶରେ ଥିବା ଓଡ଼ିଆଭାଇମାନେ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି । ଚଳିତବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ପାଳନ କରାଯାଉଥିବାରୁ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ପ୍ରଜ୍ଞାପନ ମେଢ ପଠାଇବା ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ନିମନ୍ତ୍ରଣ କରାଯାଇଥିଲା । ସେହି ଅନୁସାରେ ଓଡ଼ିଶାରୁ ଅନ୍ୟାନ୍ୟ ଚାରୋଟି ପ୍ରଜ୍ଞାପନ ମେଢର ଚିତ୍ର ସହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହର ବୃତ୍ତଚିତ୍ର ପ୍ରଦାନ କରାଯାଇଥିଲା ଏବଂ ଏହାକୁ ଦିଲ୍ଲୀର ଚୟନ କମିଟି ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନେଇ ଏହା ଆକର୍ଷଣୀୟ ବୋଲି ମତାମତ ଦେଇଥିବା ବେଳେ ହଠାତ୍ ଏହାକୁ ବାଦ୍ ଦିଆଗଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ । ଏହା ରାଜ୍ୟର ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ କରିଛି । ତେଣୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ସରକାର ସ୍ଥାନ ଦେବା ପାଇଁ ପୁର୍ନବିଚାର ନକଲେ ଏହାର ଦୃଢ ପ୍ରତିବାଦ ଓଡ଼ିଶାର କୋଣ ଅନୁକୋଣରେ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି । ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏ ସମ୍ପର୍କରେ ଲେଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ସମାଜସେବୀ ଗଣେଶ ସାମନ୍ତ ଏବଂ ପ୍ରଧ୍ୟାପକ ନିରୋଦ ଖୁଣ୍ଟିଆ, ଅବନୀ ଜେନା, ଅଜୟ ଗୁମାନସିଂ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ