ଓଡ଼ିଶାର ଲୌହମାନବ ବିଶ୍ୱଭୂଷଣ ହରିଚନ୍ଦନ

ପ୍ରଦୀପ ସେନାପତି
ଓଡ଼ିଶାର ପୂଣ୍ୟପୁରୁଷ, ବନ୍ଧୁବତ୍ସଳ, ପରୋପକାରୀ, ନିଷ୍କଳଙ୍କ ରାଜନେତା, ସୁଦକ୍ଷ ମନ୍ତ୍ରୀ ତଥା ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଲୌହମାନବ ଭାବରେ ସୁପରିଚିତ ବିଶ୍ୱଭୂଷଣ ହରିଚନ୍ଦନଙ୍କର ଏକ ସ୍ୱତନ୍ତ୍ର ସୁନାମ ରହିଛି । ଜାତିର ପିତା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ଜୟପ୍ରକାଶ ନାରାୟଣ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଦର୍ଶର ପ୍ରମୁଖ ଅନୁରକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଜଣେ ବିରଳ ବ୍ୟକ୍ତିତ୍ୱ । ଦୃଢମନା, ଆତ୍ମବିଶ୍ୱାସୀ, ସଚୋଟ୍ଟତାକୁ ଆଧାର କରି ମନୁଷ୍ୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୋଇପାରେ ଏବଂ ନିଷ୍ଠା, ଦୃଢ ଇଚ୍ଛାଶକ୍ତି ଓ ଉଚ୍ଚାଭିଳାଷ ନେଇ ନିଜ କର୍ମ ସମ୍ପାଦନ କରିବା ଫଳରେ ଲକ୍ଷ୍ୟ ହାସଲ ନିଶ୍ଚିତ ଭାବେ ସହଜସାଧ୍ୟ ହୋଇଥାଏ । ଏହା ତାଙ୍କ ଜୀବନର ଶିକ୍ଷଣୀୟ ଓ ଆଦର୍ଶର ଚିନ୍ତାଧାରା । ସେ ପ୍ରଥମେ ଜଣେ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଆଇନ ପରାମର୍ଶଦାତା ଭାବରେ ମହକିଲମାନଙ୍କର ଭବିଷ୍ୟତ ଗଢିବାରେ ଗରୁଦାୟିତ୍ୱ ତୁଲାଇଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ଜଣେ ଲୌହମାନବ ଭାବରେ ଦକ୍ଷତାର ପ୍ରମାଣ ଓ ପରାକାଷ୍ଠା ବିଜୁବାବୁଙ୍କ ହଦୃୟକୁ ଆକୃଷ୍ଟ କରିଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ସମୟରେ ଭୂସଂସ୍କାର ଓ ଜମିଦାର ପ୍ରଥା ଉଚ୍ଛେଦ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବା, ଅନ୍ୟ ଏକ ମହତ୍ୱ ଆକାଂକ୍ଷା ଆଦି ତାଙ୍କର ଏହି ଅବଦାନକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ ଭାବରେ ହୃଦୟଙ୍ଗମ କରିପାରିଛନ୍ତି । ସେଥିପାଇଁ ଦକ୍ଷିଣ ଭାରତର ପ୍ରଭାବଶାଳୀ, ଉନ୍ନତଶାଳୀ ରାଜ୍ୟ ଆନ୍ଧ୍ରପ୍ରଦେଶ ‘ରାଜ୍ୟପାଳ’ ଭାବରେ ଦାୟିତ୍ୱ ଗ୍ରହଣ କରିବା ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗୌରବ ଓ ସୌଭାଗ୍ୟର ବିଷୟ ବୋଲି କୁହାଯିବ । ଅନ୍ୟାୟକୁ ପ୍ରଶୟ ଦେଇନଥିବା ଓ ତ୍ୟାଗପୂତ ଜୀବନାଦର୍ଶ ବିତାଇଥିବା ସରଳ ଜନପ୍ରିୟ ନେତା ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ନବୀନଙ୍କ ପରେ ଓଡ଼ିଶା ବିଜେପିର ଯଦି ଜଣେ କିଏ ବିକଳ୍ପ ମୁଖ୍ୟମନ୍ତ୍ରୀ ଭାବରେ ସର୍ବାଗ୍ରେ ଅଛନ୍ତି ତେବେ ସେ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ତାଙ୍କର ଜୀବନାବଳୀ ନୂତନ ପିଢୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ମୁଁ ଏବଂ ଓଡ଼ିଶାବାସୀଙ୍କ ପକ୍ଷରୁ ତାଙ୍କର ଅମଳିନ ଗୁଣାବଳୀ ପ୍ରତି ଅକୁଣ୍ଠ ସମ୍ମାନ, ସମର୍ଥନ ଜଣାଇବା ସହିତ ତାଙ୍କର ଆଜି ଏହି ପବିତ୍ର ଦିବସ ୮୮ତମ ଜୟନ୍ତୀ ଅବସରରେ ଆନ୍ତରିକ ସ୍ନେହ, ଶ୍ରଦ୍ଧାସୁମନ, କୃତଜ୍ଞତା ଓ ସଫଳତା କାମନା କରୁଅଛି ।
ପରାଧୀନତାର ଭାରତବର୍ଷରେ ଅବିଭକ୍ତ ପୁରୀ ଜିଲ୍ଲାର ବାଣପୁର ଅଞ୍ଚଳରେ ଗୋଡ଼ିଝରି ଗ୍ରାମରେ ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କର ଜୀବନର ପରବର୍ତ୍ତୀ ସମୟରେ ପ୍ରଥମେ ଏକ ନିତିନିଷ୍ଠ ଓକିଲ ଏବଂ ପରେ ସଂଗ୍ରାମୀ ରାଜନେତା ଭାବରେ ଜୟ ପ୍ରକାଶଙ୍କ ଡ଼ାକରାରେ ଆନ୍ଦୋଳନରେ ଯୋଗ ଦେଇ ପୁରୀ ଜେଲ୍‌ରେ ରହିବା ପରେ ରାଜେନୌତିକ ପରିଚୟର ପରାକାଷ୍ଠା ଓ ପରିପକ୍ୱତାର ନିଦର୍ଶନ ଦେଖିବାକୁ ମିିଳିଥିଲା । ସେବେଠାରୁ ସେ ରାଜନୈତିକ ଜୀବନର ଘଡ଼ିସନ୍ଧି ମହୂର୍ତ୍ତରେ ଆଉ ପଛକୁ ହଟି ନାହାଁନ୍ତି । ଓଡ଼ିଶାର ଯେଉଁ ମାଟି ଆଜି ମହାନ୍ ହୋଇପାରିଛି ସେ ମାଟି ଆଜି ଇତିହାସର ମୁକସାକ୍ଷୀ ପାଲଟିଛି । ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ପ୍ରଥମ ପାଇକ ବିଦ୍ରୋହର ସଂଗ୍ରାମ ମାଟିରୁ ଜନ୍ମିତ ଏହି ପୂଣ୍ୟପୁରୁଷଙ୍କର ମଧ୍ୟ ମହାନ୍ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସାରା ଦେଶରେ ଆଦି ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର କୃତି, କିର୍ତ୍ତୀ, କତ୍ତୃତ୍ୱକୁ ଭଲ ଭାବରେ ହୃଦୟଙ୍ଗ କରିପାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋର ଅନୁଭୂତିରୁ ଯାହା ଜାଣିଛି ଦେଶରେ ଯେତେ ରାଜ୍ୟପାଳ ବର୍ତ୍ତମାନ ଅଛନ୍ତି ସମସ୍ତଙ୍କ ଠାରୁ ବରିଷ୍ଠତା ଭିତ୍ତିରେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏପରିକି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମଧ୍ୟ ବୟସାଧିକ ଦୃଷ୍ଟିରୁ ଅଧିକ । ବିଶ୍ୱଭୂଷଣ ହରିଚନ୍ଦନଙ୍କର ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ସମସ୍ତ ଯୋଗ୍ୟତା, ଅଭିଜ୍ଞତା ଓ ପରିପକ୍ୱତାକୁ ବିଚାର କରାଗଲେ କୌଣସି ଗୁଣରେ କମ୍ ନୁହଁନ୍ତି । କେବଳ ଓଡ଼ିଶାରେ ବିଜେପିର ବଡ଼ ବଡ଼ ନେତା ବୋଲାଉଥିବା କୁଚକ୍ରି ଗୋଷ୍ଠୀଙ୍କ ଶିକାର ଯୋଗୁଁ ଏହା ସମ୍ଭବପର ନୁହେଁ । ମଲ୍ଲୀ ଫୁଲ ବଣରେ ଫୁଟି ବଣରେ ହିଁ ରହିଯାଉଛି । ସେମାନଙ୍କର ଅହଂକାର ଓ ଗର୍ବ ଆଜି ବିଜେପି ଓଡ଼ିଶାରେ ରସାତଳଗାମୀ ହୋଇଗଲାଣି ତାହା ସେମାନେ କେବେ ବୁଝିବେ ବୋଲି ମୋର ସେମାନଙ୍କୁ ପ୍ରଶ୍ନ? ସେମାନେ ମୋଦିଙ୍କ ମୁଖା ପିନ୍ଧି ଓଡ଼ିଶାର ଉଜ୍ଜ୍ୱଳ ରାଜନୈତିକ ଆଲୋକକୁ ଦେଖିବା ପାଇଁ ଦିନରେ ସ୍ୱପ୍ନ ଦେଖିବାରେ ସଫଳ ହୋଇଛନ୍ତି । ନିଜର ପାରିବା ପଣିଆକୁ ମାପିବାରେ ସେମାନେ ଅଯୋଗ୍ୟ ସାବ୍ୟସ୍ତ ବୋଲି ବାସ୍ତବରେ କୁହାଯିବ । ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ବିଜେପିର ଏଭଳି ଜଣେ ଭାଗ୍ୟବିଧାତା, ତାଙ୍କର ମାନବିକତା, ନିଷ୍ଠା, ନୈତିକତା, ପ୍ରଶାସନିକ ଦକ୍ଷତା, ସାଧୁତା ଓ ଉଦାରତାର ଏକ ମୂର୍ତ୍ତମନ୍ତ ପ୍ରତୀକ । ସେ ଜଣେ ସମ୍ପୂର୍ଣ୍ଣ ନିରଭିମାନୀ, ସ୍ୱାଭିମାନୀ, ଅହଂକାରଶୂନ୍ୟ, ଏକାନ୍ତ ସରଳ, ସ୍ପଷ୍ଟବାଦୀ ଏବଂ ବିନମ୍ରତାର ପରିପୂର୍ଣ୍ଣ ପ୍ରତିଛବି । ସେ ହିଁ ତାଙ୍କର ହୃଦୟସ୍ପର୍ଶୀ ଆଦର୍ଶ । ତାଙ୍କର ନିଷ୍କଳଙ୍କ ଚରିତ୍ର, ନିଷ୍କପଟ ଓ ଅମାୟିକ ବ୍ୟବହାର ପାଇଁ ସେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ବିଭିନ୍ନ ବିଭାଗର ସୁଦକ୍ଷ ମନ୍ତ୍ରୀ ଭାବରେ ଦାୟିତ୍ୱରେ ରହିବା ସହ ନିଜର ନିର୍ମଳ ଭାବମୂର୍ତ୍ତୀ ଓ ସତ୍‌ଚରିତ୍ରର ପରାକାଷ୍ଠା ମଣ୍ଡନ କରିଥିଲେ । ବିଶ୍ୱଭୂଷଣ ହରିଚନ୍ଦନଙ୍କର ରାଜନୈତିକ ଘଟଣାବହୁଳ ଜୀବନ ଏକ ନିଷ୍କଳଙ୍କ ଇତିହାସ । ଅତ୍ୟନ୍ତ ଲୋକପ୍ରିୟ, ମିଷ୍ଟଭାଷୀ, ନିର୍ମଳ ବ୍ୟକ୍ତିତ୍ୱ ସମ୍ପନ୍ନ ସୁବ୍ୟକ୍ତିତ୍ୱ ରୂପେ ତାଙ୍କର ଭାବମୂର୍ତ୍ତୀ ସମଗ୍ର ରାଜନୈତିକ ଜୀବନକୁ ଉଦ୍‌ଭାଷିତ କରିଥିଲା । ଜଣେ ସ୍ୱାଭିମାନୀ ଓଡ଼ିଆ ପ୍ରିୟ ନେତା ଭାବରେ ଓଡ଼ିଶା ବିଜେପିର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସେ ଓଡ଼ିଶାବାସୀଙ୍କର ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ସ୍ୱାଭିମାନୀ ଓଡ଼ିଶାର ସ୍ୱାଭିମାନୀ ଆଦର୍ଶରେ ଅନୁପ୍ରାଣିତ ଏହି ବ୍ୟକ୍ତିତ୍ୱ ଜାତୀୟ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ‘ବିଶ୍ୱଭୂଷଣ ହରିଚନ୍ଦନ’ କିନ୍ତୁ ଶେଷରେ ଜନତା ଦଳ ତ୍ୟାଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ନିକଟତର ହୋଇ ବିଶ୍ୱାସଭାଜନ ହୋଇପାରିଛନ୍ତି ।
ଐତିହାସିକ ଖୋର୍ଦ୍ଧା ଜିଲ୍ଲାରୁ ରାଜନୈତିକ ଜୀବନଯାତ୍ରା ଆରମ୍ଭ କରି ସମଗ୍ର ଓଡ଼ିଶାରେ ନିଜର ସାମାଜିକ ସ୍ଥିତି ତଥା ରାଜନୈତିକ ପରିଚୟ ଓ ଅଭିଜ୍ଞତା ପ୍ରଦର୍ଶନ କରିଥିବା ଏହି ମନୀଷୀଙ୍କ ଜୟନ୍ତୀ ପାଳନ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ, ଆନନ୍ଦ, ଗର୍ବ ଓ ଗୌରବର ବିଷୟ । ମୁଁ ଏହି ଅବସରରେ ସେହି ପୂଣ୍ୟବ୍ୟକ୍ତିତ୍ୱ ପ୍ରତି ଗଭୀର ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଭକ୍ତି ଅର୍ପଣ କରୁଛି । ତାଙ୍କର ଜୀବନ ଆଦର୍ଶ ମୋ ହୃଦୟକୁ ସ୍ପର୍ଶ କରିବା ସହିତ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ପାଥେୟ ହେଉ । ଏହା ହିଁ କାମନା କରୁଛି । ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ରାଜନୀତି କ୍ଷେତ୍ରରେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଓ ନିଷ୍କଳଙ୍କ ବ୍ୟକ୍ତିତ୍ୱ କ୍ରମେ ବିରଳ ହୋଇଯାଉଛନ୍ତି । ଏହା ହିଁ ମୋ ପାଇଁ ଦୁଃଖ ଓ ପରିତାପର ବିଷୟ । ତେବେ ନବକୃଷ୍ଣ ଚୌଧୁରୀ ଏବଂ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଭଳି ସେ ଜଣେ ଅଜାତଶତୃ । ସରଳ, ନିଷ୍ଠାପର ଓ ସଚ୍ଚୋଟ ରାଜନୀତିଜ୍ଞ ଭାବରେ ସେ ମୋ ପାଇଁ ଚିରଦିନ ସ୍ମରଣୀୟ ହୋଇ ରହିବେ । ଓଡ଼ିଶାରେ କେତେ ନେତା, ମନ୍ତ୍ରୀ ଗଲେଣି କିନ୍ତୁ ଓଡ଼ିଶାର ଜନନାୟକ ନେତା ରୂପେ ବର୍ତ୍ତମାନ ବିଶ୍ୱଭୂଷଣ ବାବୁ ଓଡ଼ିଶା ଶାସନ ଆକାଶରେ ଏକ ଉଜ୍ଜ୍ୱଳ ତାରକା ଭଳି ବିରାଜମାନ ଅଛନ୍ତି ଓ ରହିବେ ମଧ୍ୟ । ମୁଁ ଆଶା କରିବି, ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ମୋର ଏହି ଲେଖନୀଟିକୁ ସହୃୟତାର ସହିତ ଗ୍ରହଣ କରି ଓଡ଼ିଶା ବିଜେପିକୁ ଅନ୍ଧକାରରୁ ଏକ ଉଜ୍ଜ୍ୱଳ ଆଲୋକବର୍ତ୍ତିକା ଦେଖାଇବା ପାଇଁ ଏହି ପବିତ୍ର ଦିବସରେ ଘୋଷଣା କରିବେ । ଜୟ ଓଡ଼ିଶା, ଜୟ ଭାରତ, ଜୟ ବିଜେପି, ଜୟ ହୋ ନରେନ୍ଦ୍ର ମୋଦି ।
ରାଜ୍ୟ ସଭାପତି, ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି
ତଥା ପୂର୍ବତନ ରାଜ୍ୟ ଛାତ୍ରନେତା ଦଳର ସାଧାରଣ ସମ୍ପାଦକ
ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ମୋ : ୭୮୪୮୮୯୮୪୫୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ