ଓଡ଼ିଶାର ୨ଟି ଗାଁକୁ ମିଳିଲା ଆନ୍ତର୍ଜାତିୟ ସମ୍ମାନ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ସୁନାମି ପ୍ରସ୍ତୁତି ନେଇ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତର ଭେଙ୍କଟରାଇପୁର ଗାଁକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ। ଜିଲ୍ଲା ପ୍ରଶାସନ ତରଫରୁ ସୁନାମି ମୁକାବିଲା ନିମନ୍ତେ କରାଯାଇଥିବା ପ୍ରସ୍ତୁତିକୁ ଆନ୍ତର୍ଜାତିୟ ସଦସ୍ୟମାନେ ଦେଖିବା ପରେ ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଏହି ସମ୍ମାନର ଅଧିକାରୀ ହୋଇପାରିଛି। ଗଞ୍ଜାମ ଜିଲ୍ଲା ଓ ରଙ୍ଗେଈଲୁଣ୍ଡା ବ୍ଲକ କୁ ମିଳିଥିବା ଏହି ଆନ୍ତର୍ଜାତିୟ ସମ୍ମାନ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିଥିବା ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ରଙ୍ଗେଈଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁର ସମସ୍ତ ଗ୍ରାମବାସୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ମାନ୍ୟବର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଶୁଭେଚ୍ଛା ଜଣାଇବା ସହ ବାତ୍ୟା ମୁକାବିଲା ନିମନ୍ତେ ଆଗକୁ ଆହୁରି ଅଧିକ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ଏହି ଆନ୍ତର୍ଜାତିୟ ସମ୍ମାନ।