‘ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମୀ ସଂଘ’ର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ‘ଓଡ଼ିଶା ଅଙ୍ଗନବାଡି ମହିଳା କର୍ମୀ ସଂଘ’ରାଜ୍ୟ କମିଟି ନିଷ୍ପତ୍ତି କ୍ରମେ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଜିଲା ସମ୍ପାଦିକା ସଂଗୀତା ରାୟଙ୍କ ଅଧ୍ୟକ୍ଷତାରେ ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥୀରାଜ ପଣ୍ଡା ଯୋଗଦେଇ ଅଙ୍ଗନୱାଡ଼ି କର୍ମୀମାନଙ୍କ ସାମାଜିକ ସୁରକ୍ଷା ଓ ବିଭିନ୍ନ ଦାବି ପୂରଣରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନେଇ ସମାଲୋଚନା କରିଥିଲେ । ବିଶେଷ କରି ସ୍କିମ ପ୍ରଥାକୁ ଉଚ୍ଛେଦ ସହ କର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିିବା, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୨୧ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବା, ୨୦୧୯ ମାର୍ଚ୍ଚ ମାସରେ ସରକାରଙ୍କ ଦ୍ୱାରା ଘୋଷିତ ଅବସର କାଳୀନ ସହାୟତା ରାଶି ଏବଂ ଗ୍ରୀଷ୍ମ ଅବଳାଶକୁ ଲାଗୁ କରିବା, ଅବସର କାଳୀନ ସହାୟତା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଅବସର ପରେ ପ୍ରତ୍ୟେକ କର୍ମୀଙ୍କୁ ମାସିକ ୫,୦୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ଶ୍ରୀ ପଣ୍ଡା ଦାବି କରିଥିଲେ ।ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପରେ ଅପରାହ୍ଣରେ ସଂଘର ଜିଲା ସମ୍ମିଳନୀ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ସଂଗୀତା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଏଥିରେ ଯୋଗଦେଇ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କଠାରେ ଦାବି ଉପସ୍ଥାପନ ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ସଂଘର ରାଜ୍ୟ ସଭାପତି ସୁମିତ୍ରା ମହାପାତ୍ର, ଶକୁନ୍ତଳା ଗୋଚ୍ଛାୟତ, ବାଲେଶ୍ୱରର ଯୁବ ସମାଜସେବୀ ମାନସ ଚନ୍ଦ୍ର ରଥ, ସୌଭାଗ୍ୟବତୀ ରାୟ ପ୍ରମୁଖ ଏଥିରେ ଯୋଗଦେଇ ସଂଗଠନ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।


