ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରଥମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସୁତୃପ୍ତି ହୋଟେଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ପୂର୍ବତନ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ, ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡଃ ସହଦେବ ସାହୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ, ସମାଜସେବୀ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଉଦ୍ୟୋଗୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ସବୁଜିମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସମସ୍ତେ ପ୍ରୟାସ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରତିଷ୍ଠାତା ଓ ସଭାପତି ସମାଜସେବୀ ଶିବ ନାରାୟଣ ମିଶ୍ର ସଭା କାର୍ଯ୍ୟକୁ ପରିଚଳନା କରିବା ସହିତ ମତବ୍ୟକ୍ତ କରିଥିଲେ ଯେ, ଉଦ୍ୟୋଗୀମାନଙ୍କର ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ପାଇଁ ଏହି ସଙ୍ଗଠନ ବଦ୍ଧ ପରିକର । ତତ୍ ସହିତ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ଉକ୍ତ ସଂଗଠନ ପ୍ରୟାସ ଜାରି ରଖିବ । ଉଦ୍ୟୋଗୀ ଶିଳ୍ପ ବର୍ତ୍ତମାନ ବହୁ କଣ୍ଟକିତ ପଥ ମଧ୍ୟଦେଇ ଅତିକ୍ରମ କରୁଛି । ସରକାର ଉଦ୍ୟୋଗୀମାନଙ୍କ ବହୁମୁଖୀ ସୁବିଧା ପ୍ରତି ଦୃଷ୍ଟି ଦେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୨୦୨୧ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ ଭବାନନ୍ଦ ଦାସଙ୍କୁ ପ୍ରଦାନ କରାଯାଇଥିବା ବେଳେ ହୃଦୟ ରଞ୍ଜନ ମହାନ୍ତିଙ୍କୁ “ପ୍ରାଉଡ୍ ମେମ୍ବର” ରୂପେ ସମ୍ମାନିତ କରାଯାଇଥିଲା । ଏହା ସହିତ ସିଦ୍ଧାର୍ଥ ଶେଖର ପଟ୍ଟନାୟକ, ଅଚ୍ୟୁତାନନ୍ଦ ବରାଳ, ବି. ପି. ସିଂ, ଚୈତନ୍ୟ ପାଲ ଓ ଆଦିତ୍ୟ ମହାନ୍ତିଙ୍କୁ ଶ୍ରେଷ୍ଠ ନେତୃତ୍ୱ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଧରଣୀଧର, ସା, ସୂରଜ ପାତ୍ର ଓ ଆସିଫ୍ ଅଲ୍ଲୀ ଖାଁଙ୍କୁ ଉପଦେଷ୍ଟା ଭାବରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଶେଖର ସାହୁ, ଅଞ୍ଜନ କୁମାର ମୁଦୁଲୀ, ଏଚ୍.ଆର୍. ମହାନ୍ତି ପ୍ରମୁଖ ଉଦ୍ୟୋଗୀମାନେ ସହଯୋଗ କରିଥିବା ବେଳେ ପ୍ରଦୀପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।


