ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ଶାରଦୀୟ ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ସର୍ବଭାରତୀୟ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ ସଂଘ ସହ ଅନୁବନ୍ଧିତ ସଂଗଠନ ‘ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ, ବାଲେଶ୍ୱର ଆଞ୍ଚଳିକ ଶାଖାର ଶାରଦୀୟ ସମାବେଶ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ବିଚିତ୍ରାନନ୍ଦ ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାବେଶକୁ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଜାତୀୟକରଣ ବ୍ୟାଙ୍କ କର୍ମଚାରୀଙ୍କ ଭଳି ସମାନ କାର୍ଯ୍ୟ କରି ମଧ୍ୟ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ କର୍ମଚାରୀଙ୍କୁ ଉଚିତ ସୁବିଧା ସୁଯୋଗ ନ ମିଳିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଏନେଇ ସଂଗଠନକୁ ସୁଦୃଢ଼ କରିବା ସହ ହକ ଆଦାୟ ପାଇଁ ପ୍ରସ୍ତୁତ ହେବାକୁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଥିଲେ । ଉପ-ସଭାପତି ଅଜିତ କୁମାର ପଟ୍ଟନାୟକ, ରବୀନ୍ଦ୍ର ପ୍ରଧାନ, ବସନ୍ତ ଦାଶ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ସାଂଗଠନିକ କାର୍ଯ୍ୟ ଆଗେଇ ନେବା ସାଙ୍ଗକୁ ଦାବି ପୂରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱରୂପ କୁମାର ଦାସ ଏଥିରେ ସଭାପତିତ୍ୱ କରିବା ସହିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ହୋଇ ଚାଲିଥିବା ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଅମର କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ପାଣିଗ୍ରାହୀ, ଧୀରୁ ପାଣି, ଅତନୁ ଫୌଜଦାର, ନାରାୟଣ ଚନ୍ଦ୍ର ନାୟକ, ଉତ୍ତମ ଚାନ୍ଦ, ନଗେନ୍ଦ୍ର ପରିଡ଼ା, ସୁଜୟ କୁମାର ପଣ୍ଡା, ବିପିନ ବିହାରୀ ଦାସ, ମନୋଜ କୁମାର ଦାସ, ରଞ୍ଜନ ପରିଡ଼ା, ହୃଷୀକେଶ ପୃଷ୍ଟି, ମନୋରଂଜନ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


