ଓଡ଼ିଶା ଛାଡ଼ିଲା ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳରୁ ଅପସରି ଯାଇଥିବା ବେଳେ ଆଜି ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ବିଦାୟ ନେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଜୁନ୍ ପହିଲାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ବିଳମ୍ବରେ ଓଡ଼ିଶା ଛୁଇଁଥିଲେ ହେଁ ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ବୃଷ୍ଟିପାତ ସ୍ୱାଭାବିକଠାରୁ ଅଧିକ ହୋଇଥିଲା । ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୧୧୫୫ ମିମି ବର୍ଷା ହୋଇଥାଏ ମାତ୍ର ଚଳିତ ବର୍ଷ ରାଜ୍ୟରେ ୧୨୩୩ ମିମି ବର୍ଷା ହୋଇଛି । ସେହିପରି ମୌସୁମୀ ଋତୁ ପରେ ଅକ୍ଟୋବର ପହିଲାରୁ ୧୫ ମଧ୍ୟରେ ସ୍ୱାଭାବିକ ଭାବେ ହାରାହାରି ୬୨ ମିମି ବର୍ଷା ହୋଇଥାଏ । ଏ ବର୍ଷ ସମୟ ଭିତରେ ୫୯ ମିମି ବର୍ଷା ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛାଡ଼ିଯିବା ସହିତ ଦକ୍ଷିଣ ପୂର୍ବ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏହା ଫଳରେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶାର ଉତ୍ତର ପୂର୍ବ ମୌସୁମୀର ବିଶେଷ ପ୍ରଭାବ ନଥିଲେ ହେଁ ଆସନ୍ତା ୧୬ ଓ ୧୮ ରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ୧୭ ରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଭଦ୍ରକ ଓ ମୟୂରଭଞ୍ଜ ଏବଂ ୧୮ ରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ