ଓଡ଼ିଶା ନୂତନ କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ
ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ହିତ ଓ କୃଷିର ଉନ୍ନତି ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂତନ କୃଷି ନୀତି ‘ସମୃଦ୍ଧି’କୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ କ୍ୟାବିନେଟ୍ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଏହି ନୂତନ କୃଷି ନୀତି ଦ୍ୱାରା କୃଷକ ମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିନ୍ତ କରିବା, କ୍ଷୂଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ କରିବା, କୃଷି ଅଭିବୃଦ୍ଧିକୁ ସ୍ଥାୟୀ କରାଯାଇପାରିବ । ଏହି ଲକ୍ଷ୍ୟ ସାଧନ ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା, କୃଷି ଉତ୍ପାଦନ ପାଇଁ ବଜାର (ଘରୋଇ ଓ ଆନ୍ତର୍ଜାତୀୟ), ଉତ୍ପାଦନ ବୃଦ୍ଧି ପାଇଁ ସମ୍ବଳର ସୁବିନିଯୋଗ, ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ, ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ଓ ବିବିଧିକରଣ, ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ, ଅନୁଷ୍ଠାନ ଗୁଡିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହା ବ୍ୟତୀତ କୃଷି ସାମଗ୍ରୀ, ତାର ଉତ୍ପାଦନ ଓ ବଜାର ସହିତ ସଂଯୁକ୍ତିକରଣ, ଧାନ ଉତ୍ପାଦନରେ ନିରନ୍ତର ବୃଦ୍ଧି, ଉଚ୍ଚ ମୂଲ୍ୟଯୁକ୍ତ କୃଷି ବିବିଧିକରଣ ଉପରେ ପ୍ରାଧାନ୍ୟ, ଭୂମି, ଜଳ ଓ ମୃତ୍ତିକାର ବ୍ୟବହାର କୌଶଳ ଓ ପରିବେଶ ଉପଯୋଗୀ ହେବା ସହ ଉତ୍ତମ ମୂଲ୍ୟ ପାଇଁ ଉତ୍ପାଦିତ ସାମଗ୍ରୀକୁ ପରିଷ୍କାର ଓ ବର୍ଗୀକରଣ କରିବା ଇତ୍ୟାଦିକୁ ପ୍ରୋତ୍ସାହନ ଦିଆଯାଇଛି । ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦିର ମୂଲ୍ୟ ନିର୍ଦ୍ଧାରଣ କରିବା ଏହାର ମୂଳ ଲକ୍ଷ୍ୟ । କୃଷି ଉତ୍ପାଦ ସଂଗଠନ ସୃଷ୍ଟି କରିବା, ପ୍ରାକ୍ ଓ ପରବର୍ତ୍ତୀ ଅମଳ ପରିଚାଳନା କରି ଅପଚୟ କମ୍ କରିବା, ଜଳବାୟୁ ପରିବର୍ତ୍ତନରେ ଖାପ ଖୁଆଇବା ଭଳି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବା, ଯୋଜନା ଓ ପର୍ଯ୍ୟାଲୋଚନା ପାଇଁ ଡାଟା ବ୍ୟବହାର କରିବା, କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଜଣାଇଥିଲେ। ଗବେଷଣା, ବିକାଶ, ବିପର୍ଯ୍ୟୟ ପରିଚାଳନା, ବୀମା, ଋଣ ଓ ଅନ୍ୟାନ୍ୟ ବିଶେଷ କ୍ଷେତ୍ର ଉପରେ କୃଷି ନୀତିରେ ଧ୍ୟାନ ଦିଆଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ ପ୍ରକାଶ କରିଥିଲେ।


