ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଓଡ଼ିଶା ପଥ ବିକ୍ରତା ସଂଘ ଜିଲା ଶାଖା ପକ୍ଷରୁ ବାଲେଶ୍ୱର ପୌରପାଳିକା ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସହରର ଉଠା ଦୋକାନୀ ଓ ରାସ୍ତାପାଶ୍ୱର୍ ପଥ ବିକ୍ରେତାମାନଙ୍କର ଏକ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରୁ ବାହାରି ସହର ପରିକ୍ରମା ସହ ମ୍ୟୁନିସିପାଲଟି ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ନ୍ୟାସନାଲ ହକର ଫେଡ଼େରେସନର ଅତିରିକ୍ତ ସାଧାରଣ ସମ୍ପାଦକ ତଥା ପଥ ବିକ୍ରେତା ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ ଯୋଗଦେଇ ସହରାଞ୍ଚଳ ପଥ ବିକ୍ରେତାମାନଙ୍କ ଉପରେ ପୌର ପ୍ରଶାସନ ପକ୍ଷରୁ ହେଉଥିବା ଜୁଲମର ତୀବ୍ର ସମାଲୋଚନା କରିଥିଲେ । ପୁରାତନ ବାଲେଶ୍ୱର ସହରର ୯୦ ପ୍ରତିଶତରୁ ଅଧିକ ଲୋକେ ପଥ ବିକ୍ରେତାଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ପୌର କର୍ତ୍ତୃପକ୍ଷ ବିନା କାରଣରେ ସେମାନଙ୍କୁ ବାରମ୍ବାର ଉଚ୍ଛେଦ କରିବା କେଉଁ ନ୍ୟାୟରେ ବୋଲି ସେ ପ୍ରଶ୍ନ କରିଥିଲେ । ସାମ୍ପ୍ରତିକ ଦେଶର ଉଦାର ଅର୍ଥନୀତି ତଥା କରୋନା ପ୍ରଭାବରେ ସାଧାରଣ ଲୋକଙ୍କ ଜୀବନଧାରଣ ମାନ ହ୍ରାସ ସାଙ୍ଗକୁ ଲୋକଙ୍କ କ୍ରୟଶକ୍ତି କମିବାରେ ଲାଗିଛି । ଅନ୍ୟପକ୍ଷରେ ଅଧିକାଂଶ ଲୋକେ ପଥପାଶ୍ୱର୍ ଦୋକାନୀଙ୍କଠାରୁ ଉଚିତ ମୂଲ୍ୟରେ ନିଜ ପରିବାର ପାଇଁ ଆବଶ୍ୟକ ସାମଗ୍ରୀ କିଣ ନେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ମନଇଚ୍ଛା ଉଚ୍ଛେଦ କରିବା ପରିବର୍ତ୍ତେ ଉଚିତ ସ୍ଥାନରେ ଥଇଥାନ କରିବାର ଆବଶ୍ୟକତା ଉପରେ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ୧୯୮୯ ମସିହାଠାରୁ ସହରର ବିଭିନ୍ନ ସ୍ଥାନରେ ପଥ ବିକ୍ରେତାମାନେ ନିର୍ମାଣ କରିଥିବା ସପିଙ୍ଗ ସେଣ୍ଟର ଗୁଡ଼ିକୁ ଟାଉନ ଭେଣ୍ଡିଂ କମିଟି (ଟିଭିସି) ଦ୍ୱାରା ସର୍ଭେ କରାଇ ମାସିକ ବା ବାର୍ଷିକ ଭଡ଼ା ଧାର୍ଯ୍ୟ କରିବା, ୱାର୍ଡ଼ୱାରୀ ଭେଣ୍ଡିଂ ଜୋନ ଓ ପାର୍କିଂ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସମସ୍ତ ଆବେଦନକାରୀଙ୍କୁ ସହାୟତା ଅନୁମୋଦନ କରିବା, ସହରର କୌଣସି ସ୍ଥାନରେ ରାସ୍ତା ପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ପୂର୍ବରୁ ଟିଭିସି ବୈଠକରେ ଅନୁମୋଦନ ପାଇଁ ଶ୍ରୀ ଦାସ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପଥ ବକ୍ରେତା ସଂଘର ଉପ-ସଭାପତି ଆବିଦ ଖାନ, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ଟିଭିସି ସଦସ୍ୟ ଟିପିରି ସିଂ ଓ ରାମଚନ୍ଦ୍ର ପରିଡ଼ା, ମନୋଜ କୁମାର ରାଠୋର, ଶେଖ ଆଦିଲ ଅଲି, ଦୀନବନ୍ଧୁ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ପବନ କୁମାର ପଟ୍ଟନାୟକ, ସୁଧାଂଶୁ ସାହା, ଦିବାକର ଜେନା ପ୍ରମୁଖ ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ପଥବିକ୍ରେତା ଓ ଉଠାଦୋକାନୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ । ନତୁବା ଅଗାମୀ ଦିନରେ ସଂଘ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଙ୍ଗଠନ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅଞ୍ଚଳର ଉଠା ଦୋକାନୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ