ଓଡ଼ିଶା ପାଚିକା-ସହାୟିକା ସଂଘ ପକ୍ଷରୁ ବ୍ଲକ ଘେରାଓ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ) ଅନୁବନ୍ଧିତ ‘ଓଡ଼ିଶା ପାଚିକା ସହାୟିକା ସଂଘ’ ବାଲେଶ୍ୱର ଶାଖା ପକ୍ଷରୁ ମଙ୍ଗଳବାର ସଦର ବ୍ଲକ ଘେରାଓ କରାଯାଇଥିଲା । ପାଚିକା ଓ ସହୟିକାମାନେ ବ୍ଲକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ବସି ରହିବା ଯୋଗୁଁ ବ୍ଲକ କାର୍ଯ୍ୟାଳୟକୁ କେହି ଯାଇ ପାରିନଥିଲେ କିମ୍ବା ଭିତରୁ କୌଣସି କର୍ମଚାରୀ ବା ଅଧିକାରୀ ବାହାରକୁ ଆସିପାରି ନଥିଲେ । ଏହି ପରିପ୍ରେକ୍ଷୀରେ ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଘର ଜିଲା ସଭାପତି ମନୋରମା ବେହେରା ପୌରୋହତ୍ୟ କରିଥିଲେ । ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ଜିଲାରେ କାର୍ଯ୍ୟରତ ମଧ୍ୟାହ୍ନ ଭୋଜନ କର୍ମୀମାନେ ବିଗତ ୧୯୯୫ ମସିହାଠାରୁ କାର୍ଯ୍ୟକରି ଆସିଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ପାରିଶ୍ରମିକ ବାବଦରେ ମାସିକ ମାତ୍ର ୧୪୦୦ଙ୍କା ପ୍ରଦାନ କରୁଛନ୍ତି । ସେତିକି ଅର୍ଥରେ ମଧ୍ୟାହ୍ନ ଭୋଜନ କର୍ମୀ ନିଜର ଓ ନିଜ ପରିବାରର ଭରଣ-ପୋଷଣ, ଶିକ୍ଷା ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ଖର୍ଚ୍ଚ ସମ୍ଭାଳିବା ପାଇଁ ଅସମର୍ଥ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅବଗତ ସତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ବାସ୍ତବିକ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା କହିଥିଲେ । ତୁରନ୍ତ ସ୍କିମ ପ୍ରଥା ଉଚ୍ଛେଦ, ପାଚିକା ସହାୟିକାମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଦାନ, ସାମାଜିକ ସୁରକ୍ଷା ପ୍ରଦାନ, ୨୮ମାସର ବକେୟା ପାଉଣା ପ୍ରଦାନ, ବର୍ଷକୁ ଦୁଇହଳ ଶାଢ଼ୀ ପ୍ରଦାନ, ଅବସର ପରେ ସମସ୍ତଙ୍କୁ ପେନସନ ପ୍ରଦାନ କରିବା, କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ନିଶୁକ୍ଳ ଚିକିତ୍ସା ବ୍ୟବସ୍ଥା ସହିତ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଶ୍ରୀ ପଣ୍ଡା ଦାବି ଜଣାଇଥିଲେ ।ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ସଦର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ପାଚିକା ଓ ସହାୟିକା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


