ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର : ଉତ୍କଳ ସାମ୍ବାଦିକ ଭବନ, ଖାରବେଳନଗରଠାରେ ଓଡ଼ିଶା ଫାର୍ମାସିଷ୍ଟ ସେବାସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କର ଶପଥ ଗ୍ରହଣ, ସଂଘ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସଭାପତି ଜଳଧର ସେଠୀ ସଭା ପରିଚାଳନା କ୍ରମରେ ଉଲ୍ଲିଖିତ ନିର୍ବାଚିତ ପ୍ରତିନିଧିମାନେ (୨୦୨୦-୨୨) କାର୍ଯ୍ୟକାଳ ପର୍ଯ୍ୟନ୍ତ ସେମାନେ ସଂଘର ଅନୁମୋଦିତ କାର୍ଯ୍ୟକୁ ପାରିତ କରାଇପାରିବେ ବୋଲି ମତପ୍ରକାଶ କରିଥିଲେ ।
ନିର୍ବାଚିତ ପ୍ରତିନିଧିମାନେ ସଭାପତି-ନବୀନ କୁମାର ମହାପାତ୍ର, ଉପସଭାପତି- ଦିବାକର ଜେନା, କେ.ଭି ସରସ୍ୱତୀ, ଶେଷରାମ କେଶରୀ ପ୍ରଧାନ, ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଅଶୋକ କୁମାର ପାଣି, ଯୁଗ୍ମ ସମ୍ପାଦକ ବିରେନ କୁମାର ପ୍ରଧାନ, ଶେଖ ବସିର ଅଲ୍ଲୀ, କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ସଂଗଠନ ସମ୍ପାଦକ ମୃତ୍ୟୁଞ୍ଜୟ ଦାସ, ପୂର୍ଣ୍ଣଚନ୍ଦ୍ର ପାଢୀ, ରଞ୍ଜିତ କୁମାର ବାରିକ ପ୍ରମୁଖ ଶପଥ ନେଇଥିଲେ । ଅଧିବେଶନରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ଶାଖା ଓ ସମସ୍ତ ଭେଷଜ ମହାବିଦ୍ୟାଳୟ ସମେତ କ୍ୟାପିଟାଲ ଶାଖାର ପ୍ରାୟ ଶତାଧିକ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରମୁଖ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ । ପୂର୍ବତନ ଯୁଗ୍ମ ସମ୍ପାଦକ ଶକ୍ତିନାଥ ତରେଇଙ୍କ ସାଧୁତା ଓ ନିଷ୍ଠାପର କାର୍ଯ୍ୟଧାରାକୁ ଉଚ୍ଚକୋଟୀର ପ୍ରଶଂସା ସହିତ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ନୂତନ କାର୍ଯ୍ୟକର୍ତ୍ତାମାନେ ସଂଘର ଦୀର୍ଘଦିନର ଦାବୀ ତଥା କ୍ୟାଡ଼ର ପୁନର୍ଗନଠ ସହିତ ‘ଗ୍ରେଡ୍ ପେ’ର ଅସଂଗତି ଦୂରୀକରଣ ପରେ ପଦୋନ୍ନତି ଲାଗୁ କରିବା ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଫାର୍ମାସିଷ୍ଟଙ୍କୁ ନିୟମିତ କରିବା ଆଦି ଦାବୀଗୁଡ଼ିକ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଗଣମାଧ୍ୟମ ଜରିଆରେ ପରିପ୍ରକାଶ ହୋଇଥିଲା । ଏହି ଅବସରରେ ନିରାମୟ ଭଳି ଏକ ଲୋକାଭିମୁଖୀ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଫାର୍ମାସିିଷ୍ଟମାନଙ୍କୁ ଦେଇଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ଦୀର୍ଘଦିନରୁ ସଂଘ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ପ୍ରତି ସରକାର ବିଭିନ୍ନ ସମୟରେ ସମ୍ବେଦନଶୀଳ ହୋଇ ପ୍ରତିଶ୍ରୁତି ଦେଇ ଆସୁଥିଲେ । କିନ୍ତୁ ବିଭିନ୍ନ ସମୟରେ କାଳକ୍ଷେପଣ ନୀତି ଯୋଗୁଁ ତାହା ଫଳପ୍ରଦ ହୋଇପାରିନଥିଲା । ସରକାରଙ୍କ ୫-ଟି ସେମାନଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରିବ ବୋଲି ସଂଘର କାର୍ଯ୍ୟକର୍ତ୍ତାମାନେ ଆଶାବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀମାନଙ୍କ ପଦୋନ୍ନତି ପାଇଁ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସେମାନେ ମତପ୍ରକାଶ କରିଥିଲେ । ପ୍ରଶାସନିକ ଅବହେଳା ଯୋଗୁଁ ଫାର୍ମାସିଷ୍ଟମାନେ ପଦୋନ୍ନତିରେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ବଦଳରେ କ୍ଷତିଗ୍ରସ୍ତ ହେବେ । ତେଣୁ ପଦୋନ୍ନତି ଦେବା ପୂର୍ବରୁ ଅଟକି ରହିଥିବା ବେତନରେ ଅନିୟମିତତା ଦୂର କରିବା ପାଇଁ ସଂଘର ତରଫରୁ ଦୃଢ ଦାବୀ କରାଯାଇଛି । ପରିଶେଷରେ ଗଞ୍ଜାମ ଜିଲ୍ଲାର ଶାଖା ସମ୍ପାଦକ ଅଭିମୁନ୍ୟ ଶତପଥୀ ଧନ୍ୟବାଦ ଅର୍ପଣ କରିବା ପରେ ଅଧିବେଶନ ସମାପ୍ତ ହୋଇଥିଲା ।