ଓଡ଼ିଶା ବିକ୍ରୟ ପ୍ରତିନିଧି ସଂଘର ବାର୍ଷିକ ସମ୍ମଳନୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟଟିଭ୍ ୟୁନିଅନ (ଓଡ଼ିଶା ବିକ୍ରୟ ପ୍ରତିନିଧି ସଂଘ)ର ୩୫ତମ ବାର୍ଷିକ ସମ୍ମିଳନୀ ସହରର ଗାନ୍ଧୀ ସ୍ମୃତି ଭବନରେ ଉଦଘାଟିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ଶୁଭଙ୍କର ଦାସ ସଂଘର ପତାକା ଉତୋଳନ ପୂର୍ବକ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଅୟୋଜିତ ସଭାରେ ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶରେ ଶ୍ରମିକମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଦେଶରେ ପ୍ରଚଳିତ ୩୫ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ୪ଟି କୋଡରେ ପରିଣତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପତି ଆରୋପ ଉଠାଇଥିଲେ । ସେହିପରି ପୁଞିପତି ଔଷଧ କମ୍ପାନୀଙ୍କ ସ୍ୱାର୍ଥରକ୍ଷା ପାଇଁ ୧୯୭୬ ମସିହାର ସେଲ୍ସ ପ୍ରମୋସନ ଆଇନକୁ ନିରସ୍ତ୍ର କରିବା ଯୋଗଁ ସମ୍ପ୍ରତି ସେଲ୍ସ ରିପ୍ରେଜେଂଟେଟିଭ୍ଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ସମସ୍ତ ଶ୍ରମିକଶେଣୀଙ୍କୁ ସଂଗଠିତ ହୋଇ ସ୍ୱର ଉତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫେଡେରେସନ ଅଫ ମେଡିକାଲ ଏଣ୍ଡ ସେଲ୍ସ ରିପ୍ରେଜେଂଟେଟିଭ୍ ଆସୋସିଏସନ ଅଫ ଇଣ୍ଡିଆ (ଏଫଏମଆରଏଆଇ) ଓ ଓଡିଶା ସେଲ୍ସ ରିପ୍ରେଜେଂଟେଟିଭ୍ ୟୁନିଅନର ପୂର୍ବତନ ସାଧାରଣ ସମ୍ପାଦକ ସୋମନାଥ ଗାଙ୍ଗୁଲି, ଏଫଏମଆରଏଆଇର ସଞ୍ଜୟ ସିଂହ, ମନୋଜ ଚୌଧୁରୀ, ବାମପନ୍ଥୀ ନେତା ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ଔଷଧ କମ୍ପାନୀ ଓ ସରକାରଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ଚାଲିଥିବା ସେଲ୍ସ ରିପ୍ରେଜେଂଟେଟିଭ୍ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀଙ୍କ ଉପରେ ହେଉଥିବା ନିର୍ଯାତନା, ଚାକିରୀର ନିରାପତା, ସାଧାରଣ ଜନତାଙ୍କ ଚିକିତ୍ସା ଓ ଔଷଧ ସମ୍ପର୍କିତ ମୌଳିକ ସମସ୍ୟା, କେନ୍ଦ୍ର ସରକାରଙ୍କ ଔଷଧ ଶିଳ୍ପ ନୀତି, ଅନଲାଇନରେ ଔଷଧ ବିକ୍ରୟର ପରିଣାମ ଓ ଶ୍ରମିକମାରଣ ନୀତି ଉପରେ ଅତିଥିମାନେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସମ୍ମଳନୀ ଅଭ୍ୟର୍ଥନା କମିଟିର ସଭାପତି କବି କାଳୀପଦ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ୟୁନିଅନର ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା ସହିତ ଦୁଇ ଦିନ ଧରି ଅୟୋଜିତ ହେଉଥିବା ସମ୍ମିଳନୀର ରୂପରେଖ ଓ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ୟୁନିଅନର ସଦସ୍ୟ ଓ କର୍ମକର୍ତ୍ତାମାନେ ଏହି ସମ୍ମିଳନୀରେ ଯୋଗଦେଇ ସେଲ୍ସ ରିପ୍ରେଜେଂଟେଟିଭ୍ ମାନଙ୍କ ସମସ୍ୟା ନିରାକରଣ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


