ଓଡ଼ିଶା ଲୋକସେବା ଆୟୋଗର ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବହୁତ ଦିନରୁ ପରୀକ୍ଷାର୍ଥୀମାନଙ୍କ ତରଫରୁ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ସମ୍ବନ୍ଧୀୟ ପଞ୍ଜିକା ପ୍ରକାଶ କରିବାକୁ ଦାବି ହୋଇଆସୁଥିଲା । ମାତ୍ର ଲୋକସେବା ଆୟୋଗ ବିଭିନ୍ନ କାରଣରୁ ଏ ଦାବିର ଯଥାର୍ଥତା ଥିବାସତ୍ୱେ ଏପରି ପତ୍ରିକା ପ୍ରସ୍ତୁତ କରିବାକୁ କେବେବି ସକ୍ଷମ ହୋଇନଥିଲା । ପରୀକ୍ଷା କେବେହେବ ଏ ନେଇ ଅନିଶ୍ଚିତତା ପରୀକ୍ଷାର୍ଥୀଙ୍କ ଆଶଙ୍କା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରସ୍ତୁତିରେ ବାଧକ ସାଜୁଥିଲା । କେବେ ପରୀକ୍ଷା ଫଳ ପ୍ରକାଶ ପାଇବ ସେଥିନେଇ ମଧ୍ୟ ଆବେଦନକାରୀମାନେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରୁ ନଥିବାରୁ ଅଯଥା ଚିନ୍ତା ଓ ସନ୍ଦେହରେ ରହୁଥିଲେ । ଏଣୁ ବର୍ତମାନର ଚେୟାରମ୍ୟାନ ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ପ୍ରଚେଷ୍ଟା ତଥା ବଳିଷ୍ଟ ପଦକ୍ଷେପ ଯୋଗୁଁ ଓଡ଼ିଶା ଲୋକସେବା ଆୟୋଗ ବିଜ୍ଞପ୍ତି ବାହାରି ସାରିଥିବା ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରି ସର୍ବସାଧାରଣରେ ଅବଗତି ନିମିତ ଓପିଏସ୍‌ସି ୱେବସାଇଟ୍‌(ଓପିଏସ୍‌ସି.ଜିଓଭି.ଇନ୍‌)ରେ ପ୍ରକାଶ କରିଅଛନ୍ତି ଏଥିସହିତ ନିକଟରେ ବିଜ୍ଞପ୍ତି ପାଇବାକୁ ଥିବା ୫ଟି ନିଯୁକ୍ତି ପ୍ରକ୍ରିୟା ଯଥା ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର, ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର, ମହାବିଦ୍ୟାଳୟ ପାଇଁ ସହକାରୀ ପ୍ରାଧ୍ୟାପକ, ସଚିବାଳୟର ଏଏସ୍‌ଓ ମଧ୍ୟ ସାମିଲ ହେବ । ଏହା ଲୋକସେବା ଆୟୋଗର ଚୟନ ପ୍ରକ୍ରିୟାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ପରୀକ୍ଷାର୍ଥୀଙ୍କର ବିଶ୍ୱାସନୀୟତା ଓପିଏସ୍‌ସି ଉପରେ ନିଶ୍ଚିତ ବୃଦ୍ଧି ପାଇବ ।
ଏତଦ୍‌ଭିନ୍ନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଧାରରେ ବିବିଧ ସଂସ୍ଥାର ମୂଳକ ପଦକ୍ଷେପ ପରୀକ୍ଷା ପଦ୍ଧତିରେ ଅଣାଯାଇ ପାରିଅଛି, ଯଥା ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବା, ଆଡ଼ର୍ମିଟ କାର୍ଡ଼ ପ୍ରଦାନ ଏବଂ ପରୀକ୍ଷା ସେଂଟର ନିରୂପଣ କରିବା, ନିଜସ୍ୱ ସଫ୍ଟୱେର ମାଧ୍ୟମରେ ରେଜଲ୍ଟ ପ୍ରୋସେସିଂ ଏବଂ ଫଳାଫଳ ପ୍ରକାଶ କରାଯାଇପାରୁଛି । ତା’ଛଡ଼ା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ଏବଂ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ରରେ ଅବୈଧ କାର୍ଯ୍ୟକଳାପ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସିସିଟିଭିର ବନ୍ଦୋବସ୍ତ ଏବଂ ବାୟୋମେଟିକ୍ ବ୍ୟବସ୍ଥାକୁ ଦୃଢ଼ କରାଯାଉଅଛି । ଏପରିକି ଏଣିକି କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ସମ୍ପାଦନ କରିବା ପାଇଁ ଲୋକସେବା ଆୟୋଗ ପ୍ରସ୍ତୁତ ହୋଇସାରିଛି । ସଫଳଭାବେ ଇନସ୍ୟୁରାନ୍ସ ମେଡ଼ିକାଲ ନିଯୁକ୍ତି ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ ପରିଚାଳନା କରି ଅଭିଜ୍ଞତା ହାସଲକରି ନିକଟରେ ଆସିଷ୍ଟାଂଟ ସର୍ଜନ ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ କରିବାକୁ ଯାଉଛି । ଆଶା କରାଯାଏ ଏହା ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା, ସ୍ୱଳ୍ପ ସମୟର ଆବଶ୍ୟକତା ଯୋଗାଇ ନିଯକ୍ତି ପ୍ରକ୍ରିୟାକୁ ଗତିଶୀଳ କରିପାରିବ ଏବଂ ଲୋକସେବା ଆୟୋଗର କାର୍ଯ୍ୟଦକ୍ଷତା ଯଥେଷ୍ଟ ବୃଦ୍ଧପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ