ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସମ୍ବାଦିକ ସମ୍ମିଳନୀରେ ଘୋଷଣା

ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ):ବିଶ୍ଵାସ ଓ ଭରଷାର ମୁଳଦୁଆ ଉପରେ ଅବସ୍ଥାପିତ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ରାଜ୍ୟ ସରକାର, ତାର ମୁଖ୍ୟ ଅଂଗକୁ କୁତ୍ସିତ ବ୍ୟବସ୍ଥା ଦ୍ଵାରା କିଭଳି ପଙ୍ଗୁ କରିଦିଆଯାଏ, ଓଡ଼ିଶାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ତାହାର ଏକ ଉଦାହରଣ । ଏହି ବର୍ଜନୀୟ ବ୍ୟବସ୍ଥାକୁ ସରକାର ତୁରନ୍ତ ପ୍ରତ୍ୟାହାର ନ କଲେ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିଶାଳ ଗଣ ଭିକ୍ଷୋଭ କରିବେ ବୋଲି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ନେତୃମଣ୍ଡଳୀ ସରକାରଙ୍କୁ ସତର୍କ କରି ଦେଇଛନ୍ତି । ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରି ରାଜକୋଷକୁ ସମୃଦ୍ଧ କରିଥିଲେ । ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରି ନେଇଥିଲେ। ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ ଓ ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ, କିନ୍ତୁ ତାହା ହେଲା ନାହିଁ। ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀମାନଙ୍କ ସମସ୍ୟା ଆହୁରି ଦୟନୀୟ ହୋଇ ପଡ଼ିଲା। ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ କ୍ରମରେ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ Pay ଓ Grade Pay ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ପ୍ରଦାନ କରିଥିବା ବେଳେ, ଚୁକ୍ତିଭିତ୍ତିକ ଏବଂ ଶିକ୍ଷକ କର୍ମଚାରୀଙ୍କ ପାଇଁ Pay ଓ Grade Pay ବ୍ୟବସ୍ଥା ଜାରି ରଖିଲେ। ଏହାର ପ୍ରତିବାଦ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କର୍ମଚାରୀ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ଦୀର୍ଘ ତିନି ଦିନ ବ୍ୟାପୀ ବିଶାଳ ଗଣ ଆନ୍ଦୋଳନ କରିଥିଲେ। ଶେଷରେ ଓଡ଼ିଶା ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ୧୫ ଜଣିଆ ଆନ୍ଦୋଳନରତ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଆଲୋଚନା କରି ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଯେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଏ ବିଷୟରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ, କିନ୍ତୁ ତାହା ବି ନିଷ୍ଫଳ ଗଲା। କରୋନା ମହାମାରୀ ସମୟରେ ଯେତେବେଳେ ସବୁ ଗଣ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମକୁ ସରକାର ନିଷିଦ୍ଧ କଲେ, ସେତେବେଳେ ସାରା ଓଡ଼ିଶାର ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ନିଜର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ରାଜ୍ୟ ସରକାର ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କରି ସଂଘର ଦାବିଗୁଡିକ ଯୁକ୍ତିଯୁକ୍ତ ବୋଲି ହୃଦୟଙ୍ଗମ କଲେ ଓ ପାଉଥିବା ଦରମାର ୫୦ ପ୍ରତିଶତ ବୃଦ୍ଧି କରିଵା ସହ ୨ ମାସ ମଧ୍ୟରେ ଅବଶିଷ୍ଟ ମୁଖ୍ୟ ଦାବିଗୁଡିକ ବିଚାର କରିବାର ପ୍ରତିଶୃତି ଦେଲେ, କିନ୍ତୁ ତାହା ଅଦ୍ୟାବିଧି କାର୍ଯ୍ୟକାରୀ କରାଗଲା ନାହିଁ । ସ୍ଥାୟୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ ଦରମାର ଘୋର ତାରତମ୍ୟ ଓ ଅସଙ୍ଗତି ପାଇଁ ଆଜି ବି ରାଜ୍ୟର ଏହି ହତଭାଗ୍ୟ କର୍ମଚାରୀମାନେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଏତେ କମ ଦରମାରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ କିଭଳି ବଞ୍ଚିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେହିପରି ଚୁକ୍ତିଭିତ୍ତିକ ବ୍ୟବସ୍ଥାରୁ ସଚିବାଳୟ ଓ ବିଧାନସଭାର A.S.O. ଙ୍କୁ ପୁରା ବାଦ୍ ଦେଇଥିବା ବେଳେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍ ଦେଇ ଆଉ କିଛି କର୍ମଚାରୀଙ୍କ ପାଇଁ ୩ ବର୍ଷ ଚୁକ୍ତିଭିତ୍ତିକ ଅବଧି ଲଦି ଦିଆଯାଇଛି। ବିଭାଗୀୟ ମୁଖ୍ୟ ଦପ୍ତରର ଅମଲାଙ୍କଠାରୁ ଆରମ୍ଭ କରି ଜିଲ୍ଲାର କର୍ମଚାରୀ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ୍ ସବ୍ ଇନିସିପେକ୍ଟର ଠାରୁ କନଷ୍ଟେବଲ, ଆଗ୍ନିକ, ଡାକ୍ତର ଓ ନର୍ସ ଇତ୍ୟାଦି ବର୍ଗର କର୍ମଚାରୀ ଓ ପ୍ରାର୍ଥମିକ ଶିକ୍ଷକଙ୍କ ଠାରୁ ମାଧ୍ୟମିକ ଶିକ୍ଷକଙ୍କ ପର୍ଯ୍ୟନ୍ତ 6 ବର୍ଷିଆ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ନିଯୁକ୍ତି ଦେଇ ଅନାବଶ୍ୟକ ତାରତମ୍ୟ ସୃଷ୍ଟି କରାଯାଇଛି। I.A.S. O.A.S. ଓ O.F.S., ସଚିବାଳୟ, ବିଧାନସଭା ତଥା ଉଚ୍ଚ ନ୍ୟାୟାଳୟ କର୍ମଚାରୀଙ୍କ ପ୍ରତି ଗୋଟିଏ ନିୟମ ଓ ଅନ୍ୟ କର୍ମଚାରୀ ଶିକ୍ଷକମାନଙ୍କ ପ୍ରତି ଆଉ ଗୋଟିଏ ନିୟମକୁ ସଭ୍ୟ ସମାଜ ଓ ଗଣତନ୍ତ୍ରର ନିରପେକ୍ଷ ଶାସନ ବ୍ୟବସ୍ଥାରେ ଗ୍ରହଣୀୟ କି, ବୋଲି ନେତୃମଣ୍ଡଳୀ ପ୍ରଶ୍ନ କରିଛନ୍ତି। ଯଦି ଆର୍ଥିକ ଦୁରାବସ୍ଥା ଆଳରେ ଏହି ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା, ସେତେବେଳେ I.A.S., O.A.S. ଓ O.F.S. ପ୍ରଭୃତିଙ୍କ କ୍ଷେତ୍ରରେ କାହିଁକି ଲାଗୁ କରାଗଲା ନାହିଁ, ଓ ଯଦି ଏବେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ବଳକା ଏବଂ ସ୍ଵାବଲମ୍ବି ରାଜ୍ୟ ତେବେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରାଯାଇନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି। ତେବେ କଣ ବୁଝିବାକୁ ହେବ ଯେ, ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ପେଟରୁ କାଟି ଓ ସେମାନଙ୍କର ଶ୍ରମଶକ୍ତିକୁ ଶୋଷଣ କରି ସରକାର ଆର୍ଥିକ ବଳକା ରାଜ୍ୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ନମ୍ବର ପ୍ରଶାସକ ହୋଇଛନ୍ତି କି? ଲକ୍ଷ ଲକ୍ଷ ଟଙ୍କା ଦରମା ଓ ମାସିକ ହଜାର ହଜାର ଟଙ୍କା ଆନୁସଙ୍ଗିକ ଭତ୍ତା ପାଉଥିବା ଜନସେବକ ବିଧାୟକମାନେ ଯେତେବେଳେ ତାଙ୍କୁ ପ୍ରଦତ୍ତ ରାଶି ନିଅଣ୍ଟ ବୋଲି କହି ଦରମା ବୃଦ୍ଧି ପାଇଁ ବିଧାନ ସଭାରେ ଏକାକାର ହୋଇ ଦାବି କରୁଛନ୍ତି, ସେତେବେଳେ ଟ.୮୦୦୦/- ରୁ ଟ.୧୩୦୦୦/- ଦରମା ପାଇ ଏହି କର୍ମଚାରୀ କିଭଳି ଉପାଦେୟ ଓ ସନ୍ତୋଷଜନକ ସେବା ଯୋଗାଇ ପାରିବେ ତାହା ସରକାର ବିଚାର କରନ୍ତୁ ବୋଲି ନେତୃମଣ୍ଡଳୀ ଆହ୍ଵାନ ଦେଇଛନ୍ତି। ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଏବଂ ପ୍ରାଥମିକ ଶିକ୍ଷକମାନଙ୍କ ୬ ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍, ଇନକ୍ରିମେଣ୍ଟ ଇତ୍ୟାଦିରେ ଗଣନା ଭଳି ମୁଖ୍ୟ ଦାବି ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ପୂରଣ ନକରନ୍ତି, ତେବେ ସାରା ରାଜ୍ୟର ସମସ୍ତ ବିଭାଗର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକ ମାନେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଏକ ବିଶାଳ ଗଣ ବିକ୍ଷୋଭ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ନେତୃମଣ୍ଡଳୀ ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ୩୦ ଟି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ନେତୃମଣ୍ଡଳୀ ଯୋଗଦେଇ ସରକାରୀ ଉଦାସୀନତା, ପକ୍ଷପାତିତା ଓ ଶୋଷଣ ବ୍ୟବସ୍ଥାର ଉଚ୍ଛେଦ ପାଇଁ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ ମଲ୍ଲ,ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ, ଶିକ୍ଷକନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ,ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା,ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି,ବିଜୟ ସାହୁ,ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ