ଓ.ଟି.ଏମ୍. ଶ୍ରମିକଙ୍କୁ ଅବସର ପ୍ରାପ୍ୟ ନ ଦେବାପରେ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ଓ ଜାତୀୟ ମାନବାଧିକାର କମିଶନଙ୍କ ଉପଦେଷ୍ଟା ପ୍ରଦୀପ ପ୍ରଧାନ ଓ.ଟି.ଏମ୍ ଶ୍ରମିକଙ୍କୁ ୨୦ ବର୍ଷ ଧରି ଅବସର ପ୍ରାପ୍ୟ ନଦେବା ଉପରେ ଏକ ପିଟିସନ ଗତ ୧୯.୦୪.୨୦୨୦ରେ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ଦାୟର କରିଥିଲେ । ଏଥିରେ ସହ ଯାଚିକା କର୍ତ୍ତା ଭାବରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଓ ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ମଧ୍ୟ ଥିଲେ । ପ୍ରଦୀପ ପ୍ରଧାନଙ୍କ ପିଟିସନ ଉପରେ କମିଶନ ଗରୁତର ସହ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଗତ ୨୧.୦୫.୨୦୨୦ ରିଖରେ ନୋଟିସ୍ କରିଛନ୍ତି । ଆସନ୍ତା ୧୦.୦୭.୨୦୨୦ ସୁଦ୍ଧା ଏହାର ଜବାବ କରିବା ପାଇଁ କୁହାଯାଇଛି । ସଚିବ ଏଥିରେ ବିଫଳ ହେଲେ କମିଶନ ବାଧ୍ୟ ହୋଇ ମାନବିକ ଅଧିକାର ସୁରକ୍ଷା ଆଇନ୍ ୧୯୯୩ର ଧାରା ୧୩ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ଡ଼ାକରା ପଠେଇବେ । ବିଜୁବାବୁଙ୍କ ଦ୍ୱାରା ୧୯୪୬ ମସିହାରେ ଚୌଦ୍ୱାରଠାରେ ଓଡ଼ିଶା ଟେକ୍ସଟାଇଲ ମିଲ୍ସ (ଓ.ଟି.ଏମ୍) ପ୍ରତିଷ୍ଠା କରାଯାଇ ୧୯୫୦ ମସିହାରେ ଏହାର ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ଏହା ପ୍ରାଇଭେଟ ମାଲିକାନାରେ ଥିବା ବେଳେ ପରବର୍ତ୍ତୀ ସମୟରେ ସରକାର ଏହାକୁ ହାତକୁ ନେଇଥିଲେ । ଏଥିରେ ବାରମ୍ବାର କ୍ଷତି ହେବା କାରଣରୁ ଏବଂ ୧୯୯୯ ବାତ୍ୟାରେ ପ୍ରବଳ କ୍ଷୟକ୍ଷତି ହେବା କାରଣରୁ ୨୦୦୧ ମସିହାରେ ସରକାର ଏହାକୁ ବନ୍ଦ କରି ଦେଇଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ୬୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ମୃତ୍ୟୁବରଣ କଲେଣି, କିନ୍ତୁ ଏଯାଏ ତାଙ୍କର ପ୍ରାପ୍ୟ ପାଇନାହାଁନ୍ତି । ଏଠାରେ ସୂଚନା ଥାଉକି, ଓଟିଏମ୍ ବନ୍ଦ ହେବା ସମୟରେ ୩୦୧୨ ଜଣ କର୍ମଚାରୀ ଭିଆରଏସ୍ ନେଇଥିଲେ ଏବଂ ୩୨୭ ଜଣ କର୍ମଚାରୀ ଅବସର ନେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଦୀର୍ଘ ୨୦୦୧ ମସିହା ଠାରୁ ଦୀର୍ଘ ୧୯ ବର୍ଷ ବିତି ଯାଇଥିଲେ ମଧ୍ୟ ୩ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ (ପିଏଫ୍, ଗ୍ରାଚ୍ୟୁଇଟି) ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି । ଦୀର୍ଘ ୧୯ ବର୍ଷ ଧରି ଏ ମାମଲା କୋର୍ଟରେ ଗଡ଼ୁଛି । ନ୍ୟାୟାଳୟର ଦ୍ୱାହି ଦେଇ ରାଜ୍ୟ ସରକାର ଶ୍ରମିକଙ୍କ ପ୍ରାପ୍ୟ ନେଇନାହାଁନ୍ତି କି ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ହୋଇଛି ଧାମରା ଠାରେ ଏକ ଟେକ୍ସଟାଇଲ ପାର୍କ ଏବଂ ଢେଙ୍କାନାଳଠାରେ ଏକ ମେଡ଼ିକାଲ ପାର୍କ ନିର୍ମାଣ ହେବ ଯେଉଁଥିରେ ୬-୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । କିନ୍ତୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଏବଂ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ପୂର୍ବତନ ବିଧାୟକ ପ୍ରତିଶ୍ରୁତି ଦେଇ ଆସୁଥିବା ଟେକ୍ସଟାଇଲ୍ ପାର୍କ କେବଳ ସ୍ୱପ୍ନ ଓ ଆଶ୍ୱାସନା ହୋଇ ରହିଛି । ଏଭଳି ନିଷ୍ପତ୍ତି ବିରୁଦ୍ଧରେ ଚଳିତମାସ ୫ ତାରିଖରେ ଚୌଦ୍ୱାର ଶିଳ୍ପ ପୁନରୁଦ୍ଧାର ସଂଗଠନ ତରଫରୁ ଏକ ମାନବ ଶୃଙ୍ଖଳ ସହିତ ପ୍ଲାକାର୍ଡ଼ ଧରି ବିକ୍ଷୋଭ କରାଯାଇଥିଲା ଏବଂ ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ଗତ ୧୮ ତାରିଖରେ ଜିଲ୍ଲାପାଳଙ୍କ ବାସଭବନରେ ଜିଲ୍ଲାପାଳ ଶ୍ରୀ ଭବାନୀ ପ୍ରସାଦ ଚଇନୀଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ଯାଇ ଆଲୋଚନା କରିଥିଲେ ।
ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଓଟିଏମ୍ ଆଜି ଶ୍ରୀହୀନ ଓ ରୁଗ୍ଣ ହୋଇ ପଡ଼ିଥିବା ବେଳେ ତାଙ୍କ ପୁତ୍ର ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ଥାଇ ମଧ୍ୟ ନିଜ ପିତାଙ୍କର ସ୍ୱପ୍ନର ଶିଳ୍ପ ପାଇଁ ଟଙ୍କାଟିଏ ଦେଲେ ନାହିଁ ଏବଂ ଏହାର ସମାଧାନ କରିବା ବଦଳରେ କୋର୍ଟରେ କିଭଳି କେସ୍କୁ ଅଧିକ ଦିନ ଧରି ଗଡ଼ାଯାଇ ପାରିବ, କିଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତି ନିର୍ବାଚନରେ ଭୋଟ ହାତେଇ ହେବ ସେ କଥାକୁ ବରଂ ଭଲଭାବେ ଉପଯୋଗ କଲେ । ଶେଷରେ ଟେକ୍ସଟାଇଲ ପାର୍କକୁ ଧାମରାରେ କରିବା ପାଇଁ ନିଷ୍ପତ୍ତି ନେଲେ । ଦୀର୍ଘ ୧୯ ବର୍ଷ ଏ ମାମଲା କୋର୍ଟରେ ପଡ଼ି ରହିବା ଫଳରେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଓଟିଏମ୍ର ସେହି ଭଙ୍ଗା ଦଦରା କ୍ୱାର୍ଟରରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ, ଶ୍ରମିକମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା, ୨୦ ବର୍ଷ ଧରି ନିଜର ପ୍ରାପ୍ୟ ପାଇଁ ମାନବିକ ଅଧିକାର ସାବ୍ୟସ୍ତ କରିବା ଓ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ ଓ ଅଖଣ୍ଡ ଏହାର ଗୁରୁତ୍ୱ ଉପଲବ୍ଧି କରି ଜାତୀୟ ମାନବିକ ଅଧିକାର କମିଶନରେ ମାମଲା ଦାୟର କରିଥିଲେ ।


