ଔଷଧ ଦେ।।କାନ ଓ ପାଥୋଲ୍ୟାବ୍ରେ ଚାଲିଛି ଡ଼ାକ୍ତରୀ ଚିକିତ୍ସା
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ ପରିବର୍ତନ ଆଣିବା ପାଇଁ ୫-ଟି ବ୍ୟବସ୍ଥା ଲାଗୁ କରିଥିବା ବେଳେ ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ସରକାରୀ ଡ଼ାକ୍ତରଖାନା ଗୁଡ଼ିକ ନାହିଁ ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି । ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗର ଆନ୍ତରିକତା ନଥିବା ଜଣାପଡ଼ୁଛି । ଔଷଧ ଦୋକାନ ସମେତ ବିଭିନ୍ନ ପାଥୋଲ୍ୟାବ୍ ଗୁଡ଼ିକରେ ବେଆଇନ ଭାବେ ଚାଲିଛି ରୋଗୀ ଚିକିତ୍ସା । ହିଂଜିଳିକାଟୁ ପୌରାଂଚଳର କିଛି ଔଷଧ ଦୋକାନ ମାଲିକ ମାନେ କିଛି ନିର୍ଦ୍ଧିଷ୍ଟ ଦିନରେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନା ସମେତ ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ନିଯୁକ୍ତ ଡ଼ାକ୍ତରଙ୍କୁ ଆଣି ଔଷଧଦୋକାନରେ ରୋଗୀ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର କିଛି ଗ୍ରାମାଂଚଳରେ ପରଥୋଲ୍ୟାବ ଗୁଡ଼ିକରେ କ୍ୱାକ୍ ମାନେ ରୋଗୀ ଚିକିତ୍ସା କରିବା ସହ ବେଆଇନ ଭର୍ଗପାତ କରୁଥିବାର ନଜିର ରହିଛି । ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମେତ ସ୍ଥାନୀୟ ବ୍ଳକରେ ରହିଥିବା ଗୋଟିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡ଼ାକ୍ତର ନଥିବା ଯୋଗୁଁ ଏହାର ଫାଇଦା ସ୍ଥାନୀୟ ଅଂଚଳର କିଛି ଔଷଧ ଦୋକାନ ସମେତ ବିଭିନ୍ନ ପାଥୋଲ୍ୟାବ୍ ମାଲିକ ମାନେ ଲାଭ ଉଠାଇବାରେ ଲାଗିଛନ୍ତି । ଯାହା ଫଳରେ ସ୍ଥାନୀୟ ଅଂଚଳର ରୋଗୀ ମାନେ ଏକପ୍ରକାର ଶୋଷଣର ଶିକାର ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏ ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ପ୍ରଦାନ କରି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।