କଂଗ୍ରେସରେ ଶତ୍ରୁଘ୍ନ
ପାଟନା(ଏଜେନ୍ସି): ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପିର ବିଦ୍ରୋହୀ ସାଂସଦ ତଥା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଶନିବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ଏବଂ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଯୋଗଦେଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ଆଜି ବିଜେପିର ୩୯ତମ ସ୍ଥାପନା ଦିବସ ଅବସରରେ ଦଳ ଛାଡୁଥିବାରୁ ସେ ଦୁଃଖ ଅନୁଭବ କରୁଛନ୍ତି ।
ପୂର୍ବରୁ ଅନେକ ଥର ବିଜେପି ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଶତ୍ରୁଘ୍ନ ସିହ୍ନା ଆଜି ମଧ୍ୟ ଏସବୁର ପୁନରାବୃତ୍ତି କରିଛନ୍ତି । ସେ କହିଛନ୍ତି ଯେ, ବିମୁଦ୍ରୀକରଣ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ଅଦୂରଦର୍ଶୀ ପଦକ୍ଷେପ ଥିଲା । ତେବେ ଏହାର ପ୍ରଚାର ପାଇଁ ମୋଦି ନିଜ ମା’ ହୀରାବେନ୍ଙ୍କୁ ମଧ୍ୟ ଏଟିଏମ୍ରୁ ଟଙ୍କା ଉଠାଇବା ଲାଗି ଲାଇନ୍ରେ ଛିଡା କରାଇବାକୁ ପଛାଇନଥିଲେ । ସେହିପରି ଜିଏସ୍ଟି ଦ୍ୱାରା ଚାଟାର୍ଡ ଆକାଉଣ୍ଟମାନଙ୍କୁ ଲାଭାନ୍ୱିତ କରିବାକୁ ମୋଦି ସରକାର ଚାଲ୍ ଖେଳିଥିଲେ । ବିଜେପି ଏବେ ଲାଲକୃଷ୍ଣ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିଛି । ବିଜେପି ଏବେ କେବଳ ୱାନ ମ୍ୟାନ୍ ଆର୍ମି ଏବଂ ଟୁ ମ୍ୟାନ୍ ଶୋ (ମୋଦି ଓ ଅମିତ୍ ଶାହା) ହୋଇ ରହିଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଶତ୍ରୁ ଭାବେ ଦେଖି ପ୍ରତିଶୋଧ ନେଉଛନ୍ତି । ମୋଦିଙ୍କ ଶାସନରେ ଗଣତନ୍ତ୍ର ଧୀରେଧୀରେ ଏକଛତ୍ରବାଦୀ ରାଜତନ୍ତ୍ରରେ ପରିଣତ ହୋଇଛି ବୋଲି ଶତ୍ରୁଘ୍ନ କହିଛନ୍ତି । ଏହି ଅବସରରେ ବିଜେପିର ସଂସ୍ଥାପକ ନାନାଜୀ ଦେଶମୁଖ, ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭରପୁର ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେ କହିଛନ୍ତି ଯେ, ତାଙ୍କୁ କଂଗ୍ରେସରେ ସାମିଲ କରାଇବାରେ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକା ରହିଛି । ଅନ୍ୟପକ୍ଷେ ବିହାରର ନିର୍ବାଚନୀ ପ୍ର·ର ପାଇଁ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ଶତ୍ରୁଘ୍ନଙ୍କ ନାମ ସାମିଲ କରାଯାଇଛି । ଅନ୍ୟପକ୍ଷେ ବିହାରର ପାଟନା ସାହିବ ଆସନରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଦଳୀୟ ନୀତିକୁ ନେଇ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ସେ ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଉଥିଲେ ଏବଂ ମୋଦିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ତାଙ୍କୁ ପାଟନା ସାହିବ ଆସନରୁ ଟିକଟ ନ ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଟିକଟ ଦେବା ପରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ପ୍ରକାଶ ଯେ, ବିହାରରେ କଂଗ୍ରେସ-ଆରଜେଡି ମହାମେଣ୍ଟ ଗଠନ ହୋଇଛି ଯେଉଁଥିରେ ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଏହି ମହାମେଣ୍ଟ ଏନ୍ଡିଏ ବିରୋଧରେ ଏକଜୁଟ୍ ହୋଇ ଲଢ଼ୁଥିବାରୁ ଏନ୍ଡିଏର ଚିନ୍ତା ବଢ଼ିଯାଇଛି ।