କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପ୍ରିୟଙ୍କାଙ୍କ ନାଁ ନାହିଁ ଆମେଥିରୁ ରାହୁଲ, ରାଏବରେଲୀରୁ ସୋନିଆ

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏକ ୧୫ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି । ଏଥିରେ ଦଳୀୟ ଅଧ୍ୟକ୍ଷ ରାହୁଲ ଉତ୍ତରପ୍ରଦେଶର ଆମେଥିରୁ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଏବରେଲୀରୁ ପ୍ରାର୍ଥୀପତ୍ର ଦାଖଲ ପୂର୍ବକ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦର୍ଶାଯାଇଛି । ସେହିପରି ଅନ୍ୟ ୮ ପ୍ରାର୍ଥୀଙ୍କୁ ମଧ୍ୟ ଉତ୍ତରପ୍ରଦେଶର ଅନ୍ୟ ଆସନ ନିର୍ଦ୍ଧାରିତ କରିଛି କଂଗ୍ରେସ । ପ୍ରମୁଖ ନେତାଙ୍କ ମଧ୍ୟରୁ ବରିଷ୍ଠ ନେତା ସଲମାନ ଖୁର୍ସିଦ୍ ନିଜ ଅଞ୍ଚଳ ଫରୁଖାବାଦ୍ରୁ ଏବଂ ଆରପିଏନ୍ ସିଂହ କୁଶୀନଗରରୁ ଏବଂ ଶାହରନ୍ପୁରରୁ ମୁସଲିମ ବର୍ଗରୁ ଇମ୍ରାନ୍ ମାସୁଦଙ୍କ ନାମ ଘୋଷଣା କରିଛି କଂଗ୍ରେସ । ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶକୁ କଂଗ୍ରେସ ଅଧିକ ପ୍ରାଧାନ୍ୟ ପୂର୍ବକ ଏହି ନିଷ୍ପତ୍ତି ନେଇଛି ବୋଲି ଅନୁମାନ କରାଯାଉଛି । ତେବେ ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ଗାନ୍ଧି ପରିବାରର ଅନ୍ୟତମ ସଦସ୍ୟ ତଥା ରାଜନୀତିରେ ନୂଆକରି ପାଦ ଦେଇଥିବା ପ୍ରିୟଙ୍କା ଗାନ୍ଧିଙ୍କ ନାମ ଦେଖିବାକୁ ନମିଳିବା ନିଶ୍ଚିତ ଭାବେ କୌତୁହଳ ସୃଷ୍ଟି କରିଛି । ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି ମେଣ୍ଟରୁ ଝଟ୍କା ଖାଇବା ପରେ କଂଗ୍ରେସ ଏବେ ଏକ୍ଲା ଚଲୋ ନୀତି ଆପଣାଇଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି ।
ସେହିପରି କଂଗ୍ରେସର ଏହି ୧୫ଜଣିଆ ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଗଡ କୁହାଯାଉଥିବା ଗୁଜରାଟ ପାଇଁ ମଧ୍ୟ ୫ଜଣ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ରହିଛି । ଗୁଜରାଟର ଅହମ୍ମଦାବାଦ (ପଶ୍ଚିମ)ରୁ ରାଜୁ ପର୍ମାର, ଆନନ୍ଦ ଆସନରୁ ଭରତ ସିଂହ ଏମ୍ ସୋଲାଙ୍କି, ବଡୋଦ୍ରାରୁ ପ୍ରଶାନ୍ତ ପଟେଲ ଏବଂ ସଂରକ୍ଷିତ ଆସନ ଛୋଟା ଉଦୟପୁରରୁ ରଞ୍ଜିତ ମୋହନ ସିଂହ ରଥ୍ୱା ଲଢ଼ିବା ସ୍ଥିିରିକୃତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ