କଂଗ୍ରେସର ବିଜୟ ଶୋଭାଯାତ୍ରା,ରାହୁଲ ଗାନ୍ଧୀ ଜିନ୍ଦାବାଦରେ କମ୍ପିଲା ସହର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଏକ ମୋଟର ସାଇକେଲ ରାଲି ବାହାରି ସହର ପରିକ୍ରମା କରିଥିଲା । ସୁପ୍ରିମକୋର୍ଟ ମାନହାନୀ ମୋକଦ୍ଦମାରେ ରାହୁଲ ଗାନ୍ଧୀଙ୍କ ୨ବର୍ଷର ଦଣ୍ଡାଦେଶ ଉପରେ ସ୍ତଗିତାଦେଶ ଜାରି କରିବା କାରଣରୁ ରାହୁଲ ଗାନ୍ଧୀ ପୁନର୍ବାର ତାଙ୍କ ସାଂସଦ ପଦ ଫେରି ପାଇବା ସିଦ୍ଧାନ୍ତ ହୋଇଯାଇଛି । ଏଥିନିମନ୍ତେ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ଶତାଧିକ ସଂଖ୍ୟାରେ ବିଜୟ ପର୍ବ ପାଳନ କରିଛନ୍ତି । ଏହି ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ମୋଟର ସାଇକେଲ ରାଲି ବାହାରି ତିନିମୁହାଣୀ ଓ ନୂଆ ବସ୍ଷ୍ଟାଣ୍ଡ ଦେଇ ପୁରୁଣା ବସ୍ଷ୍ଟାଣ୍ଡରେ ପହଞ୍ôଚଥିଲା । ସେଠାରେ ବାଦ୍ୟ ଓ ନୃତ୍ୟ ସହ ବିଜୟ ଉତ୍ସବ ପାଳନ କରିଥିଲେ । ସମବେତ ଶୋଭାଯାତ୍ରାକାରୀଙ୍କୁ ଉଦ୍ବୋଧନ ଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ ଏହି ବିଜୟ କେବଳ କଂଗ୍ରେସ କର୍ମୀଙ୍କର ନୁହେଁ, ଏହା ପ୍ରତ୍ୟେକ ଗଣତନ୍ତ୍ରପ୍ରେମୀ ଭାରତବାସୀଙ୍କର ବିଜୟ । ସେ ଏଥିନିମନ୍ତେ ସୁପ୍ରିମକୋର୍ଟକୁ ବଧାଇ ଜଣାଇବା ସହିତ ରାହୁଲ ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ପୂର୍ବତନ କାଉନସିଲର ହିବଜୁର ରହେମାନ, କାଉନସିଲର ଚାନ୍ଦ ବାବୁ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ସୌମେନ୍ଦ୍ର ପୃଷ୍ଟି, ଲକ୍ଷ୍ମୀଧର ପଲାଇ, ବସନ୍ତ ରାଉତ ପ୍ରମୁଖ ରାଲିରେ ସାମିଲ ହୋଇଥିଲେ ।


