କଙ୍ଗାରୁ କୋର୍ଟ ଅତ୍ୟାଚାରର ଶିକାର ଯୁବକ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ଗ୍ରାମପଂଚାୟତର ସରପଂଚ ନରହରି ପାଣିଙ୍କ କଙ୍ଗାରୁ କୋର୍ଟ ଅତ୍ୟାଚାରର ଶୀକାର ହୋଇଥିବା ଦଳିତ ଯୁବକ ଜଗନ ଜେନା ନ୍ୟାୟ ଭିକ୍ଷାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ସପରିବାର ଆମରଣ ଅନଶନରେ ବସିରହିଛନ୍ତି । ଅଭିଯୋଗ ଅନୁଯାଇ ଧୁମାତ ଶାସନ ଗ୍ରାମର କୁଞ୍ଜବିହାରୀ ଯେନାଙ୍କ ପୁଅ ଜଗନ ଯେନା ଅଭିଯୋଗ କରିଛନ୍ତି ଯେ ଗତ ଫେବୃୟାରୀମାସରେ ସେହି ଗ୍ରାମର ଶାନ୍ତିଲତା ନନ୍ଦଙ୍କ ଘରୁ କେତେକ ଠାକୁର ମୂର୍ତ୍ତି ଚୋରୀ ଘଟଣାକୁ ନେଇ ନିକିରେଇ ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଥାନାରୁ ଡକରା ପାଇ ସେ ଥାନାକୁ ଯାଇ ନିଜକୁ ନିଦ୍ଦୋର୍ଷ ବୋଲି ଯେତେ ପ୍ରକାର ବୁଝାଇଥିଲେବି ଥାନାବାବୁ ତାଙ୍କ ଗୁହାରୀ ନଶୁଣି ଧୁମାତ ସରପଂଚ ନରହରି ପାଣିଙ୍କ ତତ୍ୱାବଧାନରେ ପଂଚାୟତ କାର୍ଯ୍ୟାଳୟରେ ସମାଧାନ କରିବାକୁ ସରପଂଚଙ୍କ ସହ ତାଙ୍କୁ ପଠାଇଦେଇଥିଲେ । ସେହି ଅନୁ୍ଯାଇ ଧୁମାତ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ସରପଂଚ ଶ୍ରୀ ପାଣି ଜଗନଙ୍କୁ ବହୁ କଟୁ ମନ୍ତବ୍ୟ ଶୁଣାଇଥିଲେ । ଏଥିସହିତ ଜଗନଙ୍କ କୈାଣସି କଥା ନଶୁଣି ତାଙ୍କୁ ଚୋର ସଜାଇ ଜୋରିମାନା ବାବଦକୁ ଜଗନଙ୍କ ଠାରୁ ୫ହଜାର ଟଙ୍କା ସରପଂଚ ଶ୍ରୀ ପାଣି ନେଇଥିଲେ । କିନ୍ତୁ ଗତ ଫେବୃୟାରୀମାସ ୨୭ତାରିଖରେ ସେହି ଗ୍ରାମର ବାନାମ୍ବର ରାଉତଙ୍କ ପୁଅ ସୁଶାନ୍ତ ରାଉତ ଚୋରୀ ହୋଇଥିବା ମୂର୍ତ୍ତି ସବୁ ସରପଂଚଙ୍କୁ ହସ୍ତାନ୍ତର କରି ସୁଶାନ୍ତ ନିଜେ ସେସବୁ ଚୋରୀ କରିଥିବା ସରପଂଚଙ୍କ ନିକଟରେ ସ୍ୱୀକାର କରିଥିଲେ । ସରପଂଚ ଶ୍ରୀ ପାଣି ଶାନ୍ତିଲତାଙ୍କୁ ଘରୁ ଚୋରୀ ହୋଇଥିବା ମୂର୍ତ୍ତିସବୁକୁ ତାଙ୍କୁ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ଜଗନ ଜାଣିବା ପରେ ସରପଂଚଙ୍କୁ ପଚାରିଥିଲେ ଓ ନିକିରେଇ ଥାନାରେ ତାଙ୍କ ପ୍ରତି ହୋଇଥିବା ଅବିଚାର ଏବଂ ତାଙ୍କୁ ଦିଆଯାଇଥିବା ମାନସିକ ନିର୍ଯାତନା ପାଇଁ ନ୍ୟାୟ ପାଇବାକୁ ଲିଖିତ ଭାବେ ଜଣାଇଥିଲେ । ସରପଂଚ ଓ ନିକିରେଇ ଥାନାରୁ କୈାଣସି ନ୍ୟାୟ ନପାଇବାରୁ ଜଗନ ଏସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାଇଥିଲେବି ସେଠାରୁ ମଧ୍ୟ କୈାଣସି ନ୍ୟାୟ ପାଇଲେ ନାହିଁ । ଶେଷରେ ସେ ମାର୍ଚ୍ଚମାସ ୨ତାରିଖରେ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଲିଖିତ ଭାବରେ ଜଣାଇ ଦିଆଯାଇଥିଲେ ମଧ୍ୟ କୈାଣସି ନ୍ୟାୟ ପାଇନଥିଲେ । ଜଗନ ଚୋରୀ ନକରି ମଧ୍ୟ ସମାଜ ସମ୍ମୁଖରେ ଜଣେ ଚୋରର ଆଖ୍ୟା ପାଇଥିବାରୁ ସେ ସମସ୍ତଙ୍କ ଆଖିରେ ଘୃଣ୍ୟ ହୋଇଯାଇଛି ବୋଲି ଅଭିଯୋଗ କରିଛି । ଫଳରେ ଜଗନ ଭଳି ଜଣେ ଦଳିତ ଶ୍ରେଣୀର ଦିନମଜୁରିଆ ଯୁବକ ତା’ର ପରିବାର ପ୍ରତିପୋଷଣ କରିବାକୁ କେଉଁଠି ମୁଲମଜୁରୀ ଲାଗିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ତାଭଳି ଜଣେ ଦଳିତ ଦିନମଜୁରିଆ କିଭଳି ସମାଜରେ ଆତ୍ମ ସମ୍ମାନ ଫେରିପାଇବ ସେଥି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଦାବି ନେଇ ଜଗନ ଆମରଣ ଅନଶନରେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ଅନଶନସ୍ଥଳକୁ ଆସି ତାଙ୍କ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଅନଶନରୁ ଓହରି ଯାଇଥିଲେ ଜଗନଙ୍କ ପରିବାର ।