କଙ୍ଗାରୁ କୋର୍ଟ ବନ୍ଦ ଦାବିରେ ସେଙ୍ଗେଲ ପକ୍ଷରୁ ବିକ୍ଷୋଭ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଆଦିବାସୀ ସେଙ୍ଗେଲ ଅଭିଯାନ ସହ ଅଲ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ବରେ କଙ୍ଗାରୁ କୋର୍ଟ ବନ୍ଦ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବା ସହ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଭାରତ ଦେଶ ସମ୍ବିଧାନରେ ଚାଲିଛି ଏବଂ ଶାନ୍ତି ବଜାୟ ରଖିବା ସହିତ ନ୍ଯାୟ, ସୁରକ୍ଷା, ଅଧିକାର ପ୍ରଦାନ ପାଇଁ କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟର ବ୍ୟବସ୍ଥା ରହିଛି ମାତ୍ର ଉକ୍ତ ବ୍ୟବସ୍ଥାକୁ ଅନେକ ସ୍ଥଳରେ ଆଦିବାସୀ ଗ୍ରାମ ସମାଜରେ ପାଳନ କରା ନଯାଇ କଙ୍ଗାରୁ କୋର୍ଟ ଚାଲିଛି, ଯାହା ଅସାମ୍ବିଧାନିକ ଅଟେ. ଉକ୍ତ କଙ୍ଗାରୁ କୋର୍ଟ ଦ୍ୱାରା ଗ୍ରାମ ସମାଜର ନିରୀହ ଲୋକଙ୍କୁ ମନଇଚ୍ଛା ଜରିମାନା, ସାମାଜିକ ବାସନ୍ଦ, ଅନ୍ଧବିଶ୍ୱାସ, ଡାହାଣୀ ନାମରେ ହତ୍ୟା ଆଦି ଅସାମ୍ବିଧାନିକ କୁକାର୍ଯ୍ଯ କରାଯାଉଛି ଏବଂ ଏହା ଆଦିବାସୀ ସ୍ୱଶାସନ (ମାଝୀ-ପାର୍ଗାନା) ବ୍ୟବସ୍ଥାର ପ୍ରମୁଖମାନଙ୍କର ନେତୃତ୍ବରେ ନିରନ୍ତର ଭାବରେ ପରିଚାଳିତ କରାଚାଲିଛିି. ତେଣୁ ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରେ ଅଶାନ୍ତି, ଅନ୍ଯାୟ, ଅତ୍ୟାଚାର, ଶୋଷଣ ଲାଗିରହିଛି. ଏଣୁ ଆଦିବାସୀ ଗ୍ରାମ ସମାଜରୁ କଙ୍ଗାରୁ କୋର୍ଟକୁ ବନ୍ଦ କରାଯିବା ସହିତ ଆଦିବାସୀ ଗ୍ରାମ ସମାଜରେ ଅବିଳମ୍ବେ ସମ୍ବିଧାନ, ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ଲାଗୁ କରାଯିବାକୁ ଦାବି କରାଯାଇଛି. ନିକଟ ଅତୀତରେ ବାଙ୍ଗ୍ରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତର ଡୋରକଣ୍ଟିଆ ଗ୍ରାମରେ ଉକ୍ତ କଙ୍ଗାରୁ କୋର୍ଟ ଦ୍ୱାରା ସୁନ୍ଦର ମୋହନ ମାଝୀଙ୍କୁ ସାମାଜିକ ବାସନ୍ଦ କରାଯାଇ ତାଙ୍କର ସ୍ତ୍ରୀ ସାକ୍ରମଣି ମାଝୀଙ୍କର ଶବକୁ ୩୦ (ତିରିଶ) ଘଣ୍ଟା ଧରି ଗ୍ରାମବାସୀମାନେ ଶବ ସତ୍କାର କରିବାକୁ ଦେଇ ନଥିଲେ. ସେହିପରି ତାଙ୍କୁ ୩ ମାସ ହେଲା ଶୁଦ୍ଧିକ୍ରିୟା କରାଇ ନଦେବା, ସରକାରୀ କୂଅ, ନଳକୂଅରୁ ପାଣି ପିଇବାକୁ ନଦେବା, ଗୋରୁ, ଗାଈ, ଛେଳି ଚରାଇବାକୁ ନଦେବା, ପାଚିଲା ଧାନକୁ କାଟିବାକୁ ନଦେଇ ୫ (ପାଞ୍ଚ) ଏକର ଜମିର ଧାନ ସମ୍ପୁର୍ଣ୍ଣ ନଷ୍ଟ କରାଇବା ଭଳି ଅସମ୍ବିଧାନିକ କାର୍ଯ୍ୟ ଚାଲିଛି. ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ. ତେଣୁ ପୀଡିତ ପରିବାରକୁ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାନଗଲେ ଆଦିବାସୀ ସେଙ୍ଗେଲ ଆଭିଯାନ ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବ ବୋଲି କୁହାଯାଇଛି. ଏହି ଧାରଣା ପ୍ରଦର୍ଶନରେ କାଳୁରାମ ମୁର୍ମୁ, କଲ୍ଯାଣ ବାସ୍କେ, ମାଧବ ଚନ୍ଦ୍ର ମୁର୍ମୁ, ଗୁନାରାମ ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ, ଘାସିରାମ ହେମ୍ବ୍ରମ, ମାସାଂ ହାଁସଦାଃ, ମେଘ୍ରାୟ ସୋରେନ, ବାହାଦୁର ମୁର୍ମୁ, ଜିତେନ୍ଦ୍ରନାଥ ହେମ୍ବ୍ରମ, ଉଦୟନାଥ ହେମ୍ବ୍ରମ, ପାନମଣି ହେମ୍ବ୍ରମ, ରୂପଶ୍ରୀ ମୁର୍ମୁ, ମାଳତୀ ହାଁସଦାଃ ପ୍ରମୁଖ ଶତାଧିକ ସେଙ୍ଗେଲ ନେତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ