କଜଳା ଶିରିଡି ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଶ୍ୱିନ ମାସ ଶୁକ୍ଳପକ୍ଷ ଶନିବାର କେନ୍ଦ୍ରାପଡା ସହରରେ ୨୧ନଂ ୱାର୍ଡ ଅନ୍ତର୍ଗତ କଜଳା ଗୋଲ୍‌ଡେନ୍ ଭିଲ୍ଲାରେ ଶିରିଡି ସାଇବାବାଙ୍କ ୧୦୬ତମ ପୂଣ୍ୟତିଥି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାଇ ମନ୍ଦିରରେ ପ୍ରାତଃ ୫.୩୦ରେ କାକଡ ଆଳତୀ, ୬ଟା ୩୦ରେ ବାବାଙ୍କ ମହାସ୍ନାନ, ରୁଦ୍ରାଭିଷେକ ଓ ନେତ ପରିବର୍ତ୍ତନ କରାଯାଇଥିଲା । ପରେ ୯ଟାରେ ସମାଧି ପୂଜନ କରାଯିବା ପରେ ୧୦ଟାରେ ୧୦୦୮ ମନ୍ତ୍ରରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଆଳତୀ କରାଯିବା ପରେ ସୀମା ଲଙ୍ଘନ ଉତ୍ସବ ପାଳନ କରାଯାଇଥିଲା । ଅପରାହ୍ନ ୪ଟାରେ୧୦୬ତମ ମହାସମାଧି ଉତ୍ସବ ଉପଲକ୍ଷେ ମହାସମାରୋହରେ ପଞ୍ଜାବୀ ଢୋଲ, ଘଣ୍ଟୁଆ, ସଂକୀର୍ତ୍ତନ, ଲଉଡି ନୃତ୍ୟ ସହିତ ଏକ ଆଧ୍ୟାତ୍ମିକ ଓ ଶାନ୍ତି ପରିବେଶରେ ସର୍ବଧର୍ମ ଏକତାର ବାର୍ତ୍ତା ଦେଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ନଗର କୀର୍ତ୍ତନ ଗୋଲ୍‌ଡେନ୍ ଭିଲ୍ଲା ସାଇ ମନ୍ଦିରରୁ ବାହାରି କଜଳା, ନୂଆ ବସ୍‌ଷ୍ଟାଣ୍ଡ, କାକଟ ଦେଇ ପୁରୁଣା ବସ୍‌ଷ୍ଟାଣ୍ଡ, ସାନ୍ତସାହିରୁ ପୁଣି ସେହି ବାଟରେ କଜଳା ସାଇ ମନ୍ଦିରକୁ ଆସିବା ପରେ ସୀମା ଲଙ୍ଘନ ଉତ୍ସବ ଓ ଶେଯ ଆଳତି ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି ଉତ୍ସବରେ ସାଇ ପରିବାର ସ୍ପିରିଚୁଆଲ୍ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତୁଷାରକାନ୍ତଙ୍କ ନିର୍ଦ୍ଦେଶରେ ସଭାପତି ମା’ ସୁଧାଂଶୁବାଳା, ସମ୍ପାଦକ ପ୍ରସନ୍ନ ସାମଲ, ଦୀପିକା ମିଶ୍ର, ସୁବ୍ରତ ରାଉତ, ଶ୍ରୀୟାସ୍ମିତା ରାଉତ, ପ୍ରିୟବ୍ରତ ଦାଶ, ଜୟଶ୍ରୀ ପତି, ଦୁର୍ଯ୍ୟୋଧନ ମହାରଣା, ବିଦ୍ୟାଧର ବେହେରା, ବିଚିତ୍ର ନାୟକ, ଜ୍ଞାନରଞ୍ଜନ ରାଉତ, ରାଜେଶ ପାତ୍ର, ପ୍ରିତୀପ୍ରଜ୍ଞା ପ୍ରଧାନ, ସ୍ୱୟଂପ୍ରଜ୍ଞା ପ୍ରଧାନ, ମନୋରଞ୍ଜନ ନାୟକ, ଆଦିତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଏହି ପାଲିଙ୍କି ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳର ଶତାଧିକ ସାଇଭକ୍ତ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ