କଞ୍ଚା ମାଟିରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ଘରକରଣା ସାମଗ୍ରୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କଞ୍ଚା ମାଟିରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ଘରକରଣା ସାମଗ୍ରୀ।ଏହାକୁ ତିଆରି କରିବାରେ ବ୍ୟସ୍ତ ରହୁଛନ୍ତି କୁମ୍ଭକାର। ଆଧୁନିକ ଯୁଗରେ ବଢୁଛି ମାଟି ତିଆରି ବୋତଲର ଚାହିଦା।ସରକାରୀ ପ୍ରୋତ୍ସାହନ ନପାଇବି ନିଜ କୌଳିକ ବୃତ୍ତି କୁ ବଞ୍ଚାଇ ରଖିଛନ୍ତି।ଚକକୁ ବୁଲାଇ କଞ୍ଚା ମାଟିରୁ ବାହାରକରୁଛନ୍ତି ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ।ଅତି ଯତ୍ନର ସହ ଏକ ଲୟରେ ମାଟି ପାତ୍ର ତିଆରି କରୁଛନ୍ତି।ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର କୁମ୍ଭକାର ସୁଦୁରୁ ବେହେରା ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ନିର୍ମାଣ କରୁଛନ୍ତି।ନିଜ କୌଶଳ ଓ ବୁଦ୍ଧି ଖଟାଇ କଞ୍ଚା ମାଟିକୁ ଜୀବନ୍ତ ରୂପ ଦେଉଛନ୍ତି।ମାଟିରେ ତିଆରି ସାମଗ୍ରୀ ଗୁଡିକୁ ପ୍ରଥମେ ଖରାରେ ଶୁଖାଇବା ପରେ ନିଆଁରେ ପୋଡିଗଲା ପରେ ବଜାରକୁ ବିକ୍ରି ପାଇଁ ନେଉଛନ୍ତି।ଏଥିରୁ ଯାହା ରୋଜଗାର କରନ୍ତି ପରିବାର ଚଳାନ୍ତି। ପୂର୍ବରୁ ଏଠି 30ରୁ ଅଧିକ ପରିବାର ଏହି କୌଳିକ ବୃତିକୁ ଆପଣାଇ ଥିଲେ। କିନ୍ତୁ ଏବେ ଏହି କାମ କରିବାକୁ ଏବେକାର ଯୁବପିଢ଼ି ମୁହଁ ଫେରାଉଛନ୍ତି। ସରକାରୀ ପ୍ରୋତ୍ସାହନ ଅବାଭରୁ ଏହି ବ୍ୟବସାୟ ଆଗକୁ ବଢ଼ି ପାରୁନଥିବା କହିଛନ୍ତି କୁମ୍ଭକାର ସୁଦୂରୁ ବେହେରା,କୁମାରୀ ବେହେରା,ଭାଗବତ ବେହେରା। ମାଟି ବୋତଲ ଦେଖିବାକୁ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲ ଭଳି।ବୋତଲର ଘୋଡଣି ମଧ୍ୟ ତିଆରି କରାଯାଇଛି ।ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ୱାସ୍ଥ୍ୟ ଅନୁପଯୋଗୀ ହୋଇଥିବାରୁ ଏଭଳି କିଛି ନୂଆ ଢଙ୍ଗରେ ମାଟିରେ ବୋତଲ ତିଆରି କରିଛନ୍ତି କୁମ୍ଭକାର। ଜଣେ କାରିଗର ଦିନକୁ 7 ରୁ ଆଠଟି ବୋତଲ ତିଆରି କରନ୍ତି । ଏକ ଲିଟର ବୋତଲ ରୁ ଆରମ୍ଭ କରି 5 ଲିଟର ଧରିବା ଯାଏ ମାଟି ପାତ୍ର ତିଆରି କରନ୍ତି ।ନିଜ ବୁଦ୍ଧି ଖଟାଇ ଏହି ମାଟି ତିଆରି ବୋତଲ ପ୍ରସ୍ତୁତ କରିଛନ୍ତି । ବୋତଲର ମାନ ଆକାର ଓ ଏହା ମାଟିରେ ତିଆରି ହୋଇଥିବାରୁ ବଜାରରେ ଏହାର ଚାହିଦା ବୃଦ୍ଧି ପାଉଛି।ମାଟି ବୋତଲରେ ପାଣି ରଖିଲେ ଥଣ୍ଡା ରୁହେ ଏବଂ ପାଣି ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥିବାରୁ ଗ୍ରାହକ ମାନେ କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି।


