କଟକଣା ଜାରି ପାଇଁ ଉଠିଲା ଦାବୀ ସ୍ମାର୍ଟ ଫୋନ୍ ମୁକ୍ତ ହେଉ ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ସ୍ମାର୍ଟ ଫୋନ୍ ମାଳ ମାଳ । ଅନେକ ସମୟରେ ମନ୍ଦିର ପରିସରର ଫଟୋ ହେଉ କି ଗର୍ଭଗୃହର ଫଟୋ ହେଉ ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାର ଦୃଶ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ଏଥିପ୍ରତି ଲାଗୁନାହିଁ ରୋକ୍ । ଫଳରେ ଏହାକୁ ନେଇ ଅନେକ ସମୟରେ ଲିଙ୍ଗରାଜ ପ୍ରେମୀ, ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ଅଦ୍ୟାବଧି ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ସ୍ମାର୍ଟ ଫୋନ୍ ବାରଣ କରାଯାଇନାହିଁ । ସମସ୍ତଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ କରାଯାଉ । ସ୍ମାର୍ଟ ଫୋନ୍ ମୁକ୍ତ ହେଉ ଶ୍ରୀ ଲିଙ୍ଗରାଜ ମନ୍ଦିର । ସେବାୟତଙ୍କ ଠାରୁ ଆରମ୍ଭ କରି ପୁଲିସ୍ ଅଧିକାରୀ, ଶ୍ରଦ୍ଧାଳୁ ଓ ମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପରେ କଟକଣା ଲାଗୁ ହେଉ । ତତ୍‌ସହିତ ମନ୍ଦିର ପରିସରକୁ ଯାଉଥିବା ସେବାୟତଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ପାଇଁ ସ୍ମାର୍ଟ ଫୋନ୍ ବାହାରେ ରଖିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହେଉ । କେବଳ ପ୍ରାଧିକୃତ ଅଧିକାରୀମାନେ ଠାକୁରଙ୍କ ନୀତିକାନ୍ତି ଲାଗି ଫୋନ୍ ନେବା ପାଇଁ ଅନୁମତି ରହୁ । କେବଳ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲାଗୁ କରାଯାଉଥିବା ଯୋଗୁଁ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଥିବାର ଦେଖିବାକୁ ମିଳୁଛି । ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମନ୍ଦିର ପରିସରକୁ ଯେପରି କୌଣସି ସ୍ମାର୍ଟ ଫୋନ୍ ନଯାଏ ସେଥିପ୍ରତି ଏବେଠାରୁ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ସେବାୟତ, ପୁଲିସ୍ କର୍ତ୍ତୃପକ୍ଷ ଧ୍ୟାନ ଦେବା ନିତାନ୍ତ ଜରୁରୀ । ମନ୍ଦିର ପରିସରରୁ ସମ୍ପୂର୍ଣ୍ଣ ରୂପେ ସ୍ମାର୍ଟ ଫୋନ୍ ମୁକ୍ତ ପାଇଁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍‌, ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ