କଟକଣା ପରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସମସ୍ୟା: ବ୍ୟବସାୟୀଙ୍କୁ ମିଳୁନି ପାସ୍
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ କଟକଣା ବୃଦ୍ଧି କରାଯିବା ପରେ ବାଇକ୍ ଓ ୪ ଚକିଆଯାନ ଉପରେ କଟକଣା ଲାଗିଛି । ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ସାମଗ୍ରୀ ପରିବହନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ମଙ୍ଗଳବାର ଠାରୁ ବନ୍ତ ବ୍ଲକରେ ବାଇକ୍ ଓ ୪ ଚକିଆଯାନ ଉପରେ କଟକଣା ଲାଗିଛି । କୌଣସି ବ୍ୟକ୍ତି ବାଇକ୍ କିମ୍ବା ୪ ଚକିଆଯାନ ଧରି ବାହାରକୁ ଆସିଲେ ସେମାନଙ୍କ ଗାଡିକୁ ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଉଛି । ଏଥିନେଇ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲିଛି । ଫଳରେ ବ୍ଲକର ବିଭିନ୍ନ ବଜାର ଅଞ୍ଚଳରେ ଥିବା କ୍ଷୁଦ୍ର ତେଜରାତି ଓ ପନିପରିବା ଦୋକାନୀ ମାନେ ସମସ୍ୟାରେ ପଡିଛନ୍ତି । ବାଇକ୍ କିମ୍ବା ୪ ଚକିଆଯାନରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବା ପାଇଁ ସେମାନଙ୍କ ପାଖରେ କୌଣସି ପାସ୍ ନଥିବାରୁ ସେମାନେ ସାମଗ୍ରୀ ଆଣିବାକୁ ଯାଇପାରୁନାହାନ୍ତି । ଗତ ଦୁଇ ଦିନ ଧରି କ୍ଷୁଦ୍ର ବ୍ୟବସାୟୀ ମାନେ ପାସ୍ ପାଇବା ପାଇଁ ଥାନାକୁ ଦୌଡୁଥିଲେ ମଧ୍ୟ ସେଠାରେ ତାଙ୍କୁ ପାସ୍ ଦିଆଯାଉନାହିଁ । ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି । ପାସ୍ ଦେବା ପାଇଁ ଉପରୁ ନିର୍ଦ୍ଦେଶ ହୋଇନାହିଁ ବୋଲି ପୋଲିସ ପ୍ରଶାସନ କହୁଛି । ତେବେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।