କଟକଣା ମଧ୍ୟରେ ପାଳନ ହେବ ମହାଶିବରାତ୍ରି ଗର୍ଭବତୀ ମହିଳା, ଶିଶୁ ଓ ଅସୁସ୍ଥଙ୍କୁ ମନ୍ଦିର ମନା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଚଳିତ ବର୍ଷ ମହା ଶିବରାତ୍ରି ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି।ଦିଗପହଣ୍ଡି ବ୍ଲକ ତଥା ତହସିଲ ଇଲାକାରେ ଥିବା ସମସ୍ତ ଶୈବପୀଠ ପରିଚାଳନା କମିଟି ସେହି ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ମଙ୍ଗଳବାର ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସୂଚାଇ ଦିଆଯାଇଛି।ତହସିଲଦାର ଅଦୈତ କୁମାର ସ୍ବାଇଁ ଶିବରାତ୍ରି ଅବସରରେ ରହିଥିବା ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି କହିଥିଲେ ମଧ୍ୟ ଗର୍ଭବତୀ ମହିଳା, ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, ଦଶ ବର୍ଷରୁ କମ ଶିଶୁ ଏବଂ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ମନ୍ଦିର ମନା ବୋଲି କହିଛନ୍ତି।ମନ୍ଦିର ପ୍ରବେଶ ଦ୍ୱାରରେ “ମାସ୍କ ବିନା ପ୍ରବେଶ ମନା” ଫଳକ ରହିବା, ସାନିଟାଇଜର ରଖାଯିବା, ଭକ୍ତ ମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା, ବ୍ଯାରିକେଟିଂ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି।ସେହିଭଳି ମନ୍ଦିର ବାହାରେ ଦୋକାନ ବଜାର ଖୋଲିବା, ମନ୍ଦିର କମିଟି ପକ୍ଷରୁ ପ୍ରସାଦ ବିକ୍ରୟ କିମ୍ବା ବୀତରଣ କରାଯିବା,ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଏହି ମାର୍ଗଦର୍ଶିକା ଅନୁପାଳନ କରିବା ନେଇ ସମସ୍ତ କମିଟି ସେମାନଙ୍କ ଲିଖିତ ସ୍ବୀକାରୋକ୍ତି ତହସିଲଦାରଙ୍କୁ ପ୍ରଦାନ କରିବାକୁ କୁହାଯିବା ସହ ଏହାର ତଦାରଖ ଦାୟିତ୍ୱ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ନ୍ଯସ୍ତ କରାଯାଇଛି।ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ହଳଧର ଶବର,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଏବଂ ମହିଳା ପୋଲିସ ଅଧିକାରୀ ସଶ୍ମିତା ସେଠୀଙ୍କ ସମେତ ବିଭିନ୍ନ ମନ୍ଦିର କମିଟି କର୍ମକର୍ତ୍ତା ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।ତେବେ କଟକଣା ଉପରେ କିଛି କମିଟି ଶୈବପୀଠ ପରିଚାଳନା କମିଟି ସଭ୍ୟ ଆପତ୍ତି ଜଣାଇ ରାମଲିଙ୍ଗମ ପୋଖରୀ ଉଦଘାଟନ, ଜଉଗଡ ମହୋତ୍ସବ, ନିର୍ବାଚନୀ ସଭା ଓ ଶୋଭାଯାତ୍ରା ବେଳେ କରୋନା ନଥିଲା କି ବୋଲି ପ୍ରଶ୍ନ କରୁଥିବା ଦେଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ