କଟକଣା ଶୁନ୍ୟ ବେଲଗୁଣ୍ଠା ସଙ୍ଗରୋଧ କେନ୍ଦ୍ର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ତୀବ୍ର ବେଗରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ।ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୧ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କିଛି ସଙ୍ଗରୋଧ କେନ୍ଦ୍ର କଟକଣା ଶୁନ୍ୟ ହୋଇ ରହିଛି ।ଅନ୍ତେବାସୀ ମାନେ କଟକଣା ନ ମାନି ନିଜ ସମେତ ନିଜ ପରିବାରର ମଧ୍ୟ ଜୀବନ ବିପଦରେ ପକାଉଛନ୍ତି ।ଏ ପରି ପରିସ୍ଥିତି ଦେଖିବାକୁ ମିଳିଛି ବେଲଗୁଣ୍ଠା ଜି.ଟି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ।ଏହି କେନ୍ଦ୍ରରେ ପାଖାପାଖି ୧୭୦ ଜଣ ପ୍ରବାସୀ ସଙ୍ଗରୋଧରେ ରହୁଛନ୍ତି ।ଏମାନଙ୍କୁ ନିଜର ପରିବାର ବର୍ଗ ତଥା ସମ୍ପର୍କୀୟ ଓ ଅନ୍ୟ ମାନଙ୍କ ସହ।ମିଳାମିଶା କରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଇଛି ।କିନ୍ତୁ ଏମାନେ ଏହି କଟକଣାକୁ ଫୁ କରି ଉଡାଇଦେଉଥିବା ଦେଖିବାକୁ ମିଳିଛି ।ସେମାନେ ମୋବାଇଲ ଜରିଆରେ ନିଜ ସମ୍ପର୍କୀୟ ମାନଙ୍କୁ ଫୋନ୍ କରି ନିଜ ପାଇଁ ବାହାରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ମଗାଉଥିବାର ଜଣାପଡିଛି ।ଫଳରେ କିଛି ସମ୍ପର୍କୀୟ ସଙ୍ଗରୋଧ କେନ୍ଦ୍ର ନିକଟକୁ ଆସି ଝରକା ପଟେ,ପାଚେରୀ ଉପର ପଟେ, ଲୁହା ଫାଟକ ଦେଇ ବାହାର ସାମଗ୍ରୀ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।ଏକ ଭିଡିଓରେ କିଛି ବ୍ୟକ୍ତି ଫାଟକ ପାଖରେ ଛିଡା ହୋଇ ପଲିଥିନରେ ବାହାର ସାମଗ୍ରୀ ଦେଉଥିବା ଦୃଶ୍ୟ ରହିଥିବା ବେଳେ ଅନ୍ୟ ଏକ ଭିଡିଓରେ ଜଣେ ମହିଳା ଭିତରେ ଥିବା ତାଙ୍କର କୋଉ ସମ୍ପର୍କୀୟଙ୍କୁ ପାଚେରୀ ଊପର ଦେଇ କିଛି ଜିନିଷ ଦେଉଥିବା ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି ।ଏହି ଭିଡିଓଟି ଦେଖିବା ପରେ ବେଲଗୁଣ୍ଠା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇଛି ।ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଅନ୍ୟ ପଟେ ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ଏପରି ଢ଼ିଲା କଟକଣା କରୋନାକୁ ସ୍ୱାଗତ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।ଏହି ଭିଡିଓଟିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ