କଟକଣା ସତ୍ତ୍ୱେ ମନ୍ଦିରରୁ ବାହାରିଲା ପୁଳା ପୁଳା ବ୍ଲେଡ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରାବଣ ମାସର ପ୍ରତିଟି ସୋମବାର ଶିବାଳୟ, ନଦୀପଠା, ରାସ୍ତାଘାଟ ସବୁଠି ଶୁଭିଥାଏ ଓଁ ନମଃ ଶିବାୟର ଧ୍ୱନି । ଆଜି ଥିଲା ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ବୋଲ୍ବମ୍ ଶ୍ରଦ୍ଧାଳୁଙ୍କ ଓଁ ନମଃ ଶିବାୟ, ହରହର ମହାଦେବ, ଭୋଲେ ବାବା ପାର୍ କରେଗା ଧ୍ୱନିରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା । ଶ୍ରଦ୍ଧାଳୁ ଓ ଭକ୍ତମାନେ ତୀର୍ଥଜଳ ମହାପ୍ରଭୁଙ୍କ ମସ୍ତକରେ ଲାଗି କରିବା ପରେ ମନ୍ଦିର ପରିସର ମଧ୍ୟରେ ଛାଡ଼ି ଚାଲି ଯାଇଥିବା ଫୁଲ, ବାହୁଙ୍ଗୀ, ସାଲୁକନା, ପ୍ଲାଷ୍ଟିକ୍ କଳସ, ପଲିଥିନ୍, ଚିକିଟାମାଟି, ବେଲପତ୍ର ଆଦିକୁ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତମାନେ ସ୍ୱେଚ୍ଛାକୃତ ଭାବେ ଶ୍ରମଦାନ କରି ବର୍ଜ୍ୟ ଗୁଡ଼ିକୁ ମନ୍ଦିର ଚତୁଃପାଶ୍ୱର୍ରୁ ଉଠାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସ୍ୱଚ୍ଛତା ହିଁ ପବିତ୍ରତା, ଏହି ମନ୍ତ୍ରକୁ ଆପଣାଇ ନେଇଥିବା ସାମାଜିକ ଅନୁଷ୍ଠାନ ମିସିଂ ଫାଉଣ୍ଡେସନ୍, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଛାତ୍ରଛତ୍ରୀ ଏବଂ ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରତାପ ଚନ୍ଦ୍ର ପ୍ରଧାନ, ଶ୍ରୀପତି ଆଚାର୍ଯ୍ୟ, ତ୍ରିଲୋଚନ ବେଉରା, ମନୋଜ ପ୍ରଧାନ, ଚନ୍ଦ୍ରଶେଖର ପାଲ୍, ଲକ୍ଷ୍ମୀଧର ସ୍ୱାଇଁ, ଗୋପୀମୋହନ ପଟ୍ଟନାୟକ, ଶୁଭସ୍ମିତାରାଣୀ ରାଉତ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା, ପରିବେଶ ଓ ପରିମଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏହି ଶ୍ରମଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ବୋଲ୍ବମ୍ ଭକ୍ତମାନେ ଶିକା କାଟିବା ପାଇଁ ସାଥିରେ ଧାରୁଆ ବ୍ଲେଡ୍ ନେଇ କରି ଆସିଥାନ୍ତି । ଜଳଲାଗି ପରେ ମନ୍ଦିର ପରିସରରେ ସେମାନେ ଏହାକୁ ଫୋପାଡ଼ି ଚାଲିଯାଇଥାନ୍ତି । ମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ମନ୍ଦିର ପରିସରରୁ ସଫେଇ ସମୟରେ ପୁଳାପୁଳା ସଂଖ୍ୟାରେ ଧାରୁଆ ବ୍ଲେଡ଼ ବାହାରିଥିଲା । ଯାହାକୁନେଇ ସାମାଜିକ କର୍ମୀମାନେ ଉଦ୍ବେଗ ପ୍ରକାଶ କରିôତଲେ । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଖାମ୍ଖିଆଲି ମନୋଭାବ ଯୋଗୁ ମନ୍ଦିର ଭିତରକୁ ଏହି ଧାରୁଆ ବ୍ଲେଡ଼ର ପ୍ରବେଶ ସହଜ ହୋଇପାରୁଛି ବୋଲି ସ୍ୱେଚ୍ଛାସେବୀମାନେ ମତପ୍ରକାଶ କରିଥିଲେ । ମନ୍ଦିର ଭିତରକୁ ପୁଳା ପୁଳା ବ୍ଲେଡ୍ର ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ମନ୍ଦିର କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ଉଠିଛି ।