କଟକଣା ସାମାନ୍ୟ କୋହଳ: କନ୍ଧମାଳରେ ଖୋଲିଲା ଦୋକାନ : ହେଲମେଟ ଚେକିଂ କଡା କଲା ପୁଲିସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ କରୋନା କଟକଣା ଲକ୍ ଡାଉନକୁ ସୋମବାର ଠାରୁ ସାମାନ୍ୟ କୋହଳ କରିଛି ଜିଲ୍ଲା ପ୍ରଶାସନ। ଅନୁମତି ମିଳିବା ପରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅତି ଅତ୍ୟାବଶ୍ୟକ ଦୋକାନ ଖୋଲା ହୋଇଛି। କେବଳ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ବାକି ଖୋଲିବାକୁ ଅନୁମତି ମିଳିଥିବା ଦୋକାନ ସବୁ ସକାଳ ୭ଟାରୁ ୧୧ଟା ପର୍ୟ୍ୟନ୍ତ ଖୋଲା ରହିବ। ବହି,ଗ୍ୟାରେଜ,ମୋବାଇଲ ମରାମତି, ଇଲେକ୍ଟ୍ରି ,ତେଜରାଜି, ପରିବା, କ୍ଷୀର, ମାଛ, ମାଂସ ଓ ଚିକେନ ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ହେଲେ ହୋଟେଲ, ଢାବା, ଡ୍ରେସ, ସୁନା,ଫାଷ୍ଟଫୁଡ,ସେଲୁନ,ବିଉଟି ପାର୍ଲର, ଖୋଲା ଯାଇ ଅଙ୍କୁଶ ଲଗାଯାଇଛି। ଅନୁମତି ଦେବା ନ ଯାଏ କେହି ଏସବୁ ଦୋକାନ ଖୋଲି ପାରିବେ ନାହିଁ। ଖୋଲିବାକୁ ଅନୁମତି ମିଳିଥିବା ଦୋକାନରେ ବିକ୍ରିବଟା ସମୟରେ ଉଭୟ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ଓ ସମାଜିକ ଦୁରତା ରକ୍ଷା କରିବା ବାଧ୍ୟତା ମୁଳକ। ଏଥିରେ କେହି ଅମାନ୍ୟ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରାଇ ଦେଇଛି। ବହୁ ଦିନ ପରେ ଖୋଲିବାକୁ ଅନୁମତି ମିଳିଥିବା ଦୋକାନର ଦୋକାନୀ ଖୁସି ହୋଇଛନ୍ତି। ଅପରପେକ୍ଷ ଅନୁମତି ମିଳି ନଥିବା ଦୋକାନର ଦୋକାନୀଙ୍କ ମଧ୍ୟରେ ନିରୁତ୍ସାହିତ ହୋଇ ପଡିଥିବା ପରିଲକ୍ଷିତ ହୋଇଛି। କଟକଣା ସାମନ୍ୟ କୋହଳ ପରେ ଫୁଲବାଣୀ ସହର ସମେତ ବାଲିଗୂଡା, ଦାରିଙ୍ଗବାଡି, ରାଇକିଆ,ଫିରିଙ୍ଗିଆ,ଜି.ଉଦୟଗିରିରେ ଅଧିକାଂଶ ଦୋକାନ ବଜାର ଖୋଲା ହୋଇଥିବା ବେଳେ ଧରପଗଡ ଟିକେ ଧିମା ପଡି ଯାଇଛି। ଏହାର ସୁଯୋଗରେ ଅମାନିଆମାନେ ବାଇକ ଧରି ବୁଲାବୁଲି ଆରମ୍ଭ କରି ଦେଇଛନ୍ତି। ହେଲେ ପୁଲିସ ସେମାନଙ୍କୁ ସାବାଡ କରିବା ନିମନ୍ତେ ପୁରୁଣା ଧରପଗଡ ହେଲମେଟ ଚେକିଂ ଆରମ୍ଭ କରି ଦେଇଛି। ହେଲମେଟ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା। ଏଭଳି ସତର୍କ କରାଇ ପୁଲିସ ବହୁ ଅମାନିଆଙ୍କୁ ଘଣ୍ଟାଘଣ୍ଟା ଧରି ଅଟକାଇଛି। କିଏ ଜରିମାନା ଦେଇ ଖସିଛି ତ ଆଉ କିଏ ଘରୁ ହେଲମେଟ ଆଣି ଯାଇଛନ୍ତି। ମଙ୍ଗଳ ବାର ଠାରୁ ପୁଣି ହେଲମେଟ ଚେକିଂକୁ କଡାକଡି କରାଯିବ ବୋଲି ପୁଲିସ କହିଛି । ଫୁଲବାଣୀ ସହରରେ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେଲମେଟ ଚେକିଂ ଧରପଗଡ କରାଯାଇଥିଲା। ହେଲମେଟ ଚେକିଂକୁ ନେଇ କଟକଣା ସାମାନ୍ୟ କୋହଳକୁ ନେଇ ବାଇକରେ ପଇଁତରା ମାରି ଖୁସି ମନାଇବାକୁ ଚାହିଁଥିବା ଅମାନିଆ ଛାନିଆଁ ହୋଇ ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ