କଟକରୁ ଆଉ ୧୬ ପଜିଟିଭ ଚିହ୍ନଟ
କଟକ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଏହାରି ଭିତରେ କଟକ ମହାନଗର ଅଞ୍ଚଳରୁ ଶୁକ୍ରବାର ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୨ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଏସସିବି ଆଇସୋଲେସନ ୱାର୍ଡରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ସମ ଆଇସୋଲେସନରୁ ୨, କ୍ୟାନସର ହସ୍ପିଟାଲ ଲିଙ୍କରୁ ଆଉ ୪ ଓ କଟକ ସଦରରୁ ଆଉ ୩ ଚିହ୍ନଟ ହୋଇଛନ୍ତି । ସିଡିଏ ସେକ୍ଟର ୧୧ରୁ ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ବଢେଇସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ ଅଟେ। ଆଜି ଚିହ୍ନଟ ୭୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୨୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।