କଟା ଧାନ ବିଲରେ ନିଆଁ, ପରିବେଶ ଧୁମ୍ରମୟ
ହାଟଡ଼ିହି,(ବିକାଶ ବିଶ୍ୱାଳ ) : କଟା ଧାନ ବିଲରେ କେହି ନିଆଁ ଲଗାଇଦେଉଥିବାରୁ ଏବେ ସମଗ୍ର ଅଞ୍ଚଳ ଧୁମ୍ରମୟ ହୋଇ ପଡୁଛି । କେବଳ ଗୋଟିଏ ଦୁଇଟି ଗାଁ ନୁହଁ ଅନେକ ଗାଁରେ ଏପରି ନିଆଁ ଲାଗିଯାଉଥିବାରୁ ପରିବେଶ ଉପରେ ଏହାର କୁପ୍ରଭାବ ଦେଖିବାକୁ ମିଳିଛି । ଗତ ଦୁଇ ତିନିଦିନ ହେଲା ବଞ୍ଚୋ, ଛେନାପଦିଛକ, ମୁଗୁପୁର ଆଦି ଅଞ୍ଚଳରେ ନଡାକ୍ଷେତ ଗୁଡିକରେ ନିଆଁ ଲଗାଇ ଦେବାରୁ ଏହା ଏକର ଏକର ଜମି ଜଳିଜଳି ସମଗ୍ର ଅଞ୍ଚଳକୁ ଧୁଆଁମୟ କରିଦେଇଥିଲା । ଆଜି ସକାଳୁ ସକାଳୁ ଏହି ଧୁଆଁ ଯୋଗୁଁ ଏହା କୁଡୁଡିର ଭ୍ରମ ସୃଷ୍ଟି କରିଥିଲା । ଏପରିକି ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି କେତେକ ସ୍ଥାନରେ ନିଆଁକୁ ଲିଭାଇଥିଲେ । ଗୋଟିଏପଟେ ବଉଳା ପାହାଡରେ ନିଆଁ ସାଙ୍ଗକୁ ବିଲ ନିଆଁ ସମଗ୍ର ଅଞ୍ଚଳର ଉତ୍ତାପକୁ ଦ୍ୱିଗୁଣିତ କରିଦେଇଛି । ଦୁଇଦିନ ହେଲା ଉତ୍ତାପ ୩୮ଡିଗ୍ରୀ ଉପରେ ରହୁଛି ।


