କଣ୍ଟେନମେଣ୍ଟ ଜୋନରେ ବିଶୋଧନ ସିଞ୍ଚନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ଜନବହୁଳ ସହର ହିଞ୍ଜିଳିକାଟୁ ମୁନିସିପାଲିଟିକୁ ଚାତକ ଭଳି ଆତୁର ହୋଇଛି ମହାମାରୀ କରୋନା। ପୂର୍ବରୁ କୌଣସି ସଂକ୍ରମଣ ଚିହ୍ନଟ ହୋଇ ନ ଥିବା ଏହି ସହରକୁ ଏବେ କରୋନା ପାଟି ମେଲି ଆଁ କରି ବସିଛି।ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା କିଛି ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ସ୍ଥିତି ଓଲଟି ଯାଇଛି।ସହରର ଜଣେ ପାନ ଦୋକାନୀ, ଅଧ୍ୟାପକଙ୍କ ଓ ୨ ଜଣ ଲୋକ ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ସୋମବାର ଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପୌର ପରିଷଦର ୬,୧୦ ଓ ୧୨ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଓ ୩ କିମି ପରିଧି ମଧ୍ୟରେ ଥିବା ଅନ୍ୟାନ୍ୟ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି।ସହରର ୫୯ନଂ ଜାତୀୟ ରାଜପଥ ର ନିୟନ୍ତ୍ରିତ ବଜାର କମିଟି ଠାରୁ ବଇଞ୍ଚ ବଣିଆ ଛକ ଏବଂ ୩୬ନଂ ରାଜ୍ୟ ରାଜପଥର ତାରାତାରିଣୀ ରୋଡ଼ ଠାରୁ ହିଞ୍ଜିଳି ପର୍ଯ୍ୟନ୍ତ ସଡକ ପଥକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ବିଭିନ୍ନ ପ୍ରବେଶ ପଥରେ ୧୨ ଟି ବ୍ୟାରିକେଡ ନିର୍ମାଣ କରାଯାଇ ସାଧାରଣ ଚଳ ପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଅଗ୍ନିଶମ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନର ବିଭିନ୍ନ ସ୍ଥାନରେ ବିଶୋଧନ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଷ୍ଟେସନ ଅଧିକାରୀ ପ୍ରମୋଦ କୁମାର ଭୂୟାଁ, ହରିହର ବେହେରା ଓ ସନ୍ତୋଷ କୁମାର ଗୌଡ଼ ପ୍ରମୁଖ କର୍ମଚାରୀ ବ୍ଳକ ଛକ, ବିଜୁ ପଟ୍ଟନାୟକ ଛକ, ପରିବା ବଜାର, ପୌର ଉଚ୍ଚ ବିଦ୍ୟାଳୟ, ବଇଞ୍ଚ ବଣିଆ ଛକ ଓ ତାରାତାରିଣୀ ରୋଡ଼ର ବିଭିନ୍ନ ସ୍ଥାନରେ ସୋଡିୟମ ହାଇଡ୍ରୋକ୍ଲୋରାଇଡ଼ ଦ୍ରବଣ ସିଞ୍ଚନ କରି ବିଶୋଧିତ କରିଥିଲେ।ଅଞ୍ଚଳ ବାସୀ ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ଅନାବଶ୍ୟକ ଭାବେ ସହରରେ ଅବାଧ ଚଳପ୍ରଚଳରୁ ନିବୃତ୍ତ ରହିବା ନିୟମକୁ ଅନୁପାଳନ କରିବା ସହ ଡଃ ସାହୁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ