କଣ୍ଟେନମେଣ୍ଟ ଜୋନରେ ସାହି ସାହି ବୁଲିଲେ ପ୍ରଶାସନିକ ଅଧିକାରୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ଲଗାତର ଭାବେ ପ୍ରତିଦିନ ବହୁ ସଂଖ୍ୟକ କରୋନା ପଜିଟିଭ୍‍ ଚିହ୍ନଟ ହେଉଛନ୍ତି। ଶନିବାର ଜିଲ୍ଲାରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ରହିଛନ୍ତି। ସର୍ବଧିକ ତୁମୁଡିବନ୍ଧ ବ୍ଲକରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଫୁଲବାଣୀରୁ ୯ ଜଣ, ଜି ଉଦୟଗିରିରୁ ୭, କୋଟଗଡରୁ ୯, ରାଇକିଆରୁ ୪, ଟିକାବାଲିରୁ ୧ ଏବଂ କେ ନୁଆଗାଁରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ବୟସ ୧ ବର୍ଷରୁ ୬୨ ବର୍ଷ ମଧ୍ୟରେ ରହିଛି। ଏହି ୪୫ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୫୭୨ ଜଣ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୩୩୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୨୩୭ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଦିନକୁ ଦିନ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଜିଲାରେ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଯୋଗୁଁ ଏହାକୁ ନେଇ ମଧ୍ୟ ଅଞ୍ଚଳବାସୀ ତ୍ରାହି ତ୍ରାହି ଡ଼ାକଦେଲେଣି। ବିଶେଷ କରି ରାଇକିଆରେ ଗତ ୨୨ ଦିନ ହେଲା କଣ୍ଟେନମେଣ୍ଟ ଜୋନ୍‍ ଯୋଗୁଁ ରାଇକିଆ ସମେତ ୧୩ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ସମସ୍ତ ଦୋକାନ ବଜାର ସହିତ ଗତ ୨୨ ଦିନ ଔଷଧ ଦୋକାନ ମଧ୍ୟ ବନ୍ଦଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଶେଷ କରି ଶ୍ରମିକ ଶ୍ରେଣୀର ଓ ମଧ୍ୟବିତ୍ତଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ସେହିଭଳି ଜିଲାର ଟିକାବାଲି ଅଞ୍ଚଳକୁ ମଧ୍ୟ ଗତ ୨୦ ଦିନ ହେଲା କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଥିବା ବେଳେ ସାରଙ୍ଗଡ଼କୁ ୧୭ ଦିନ ଓ ବାଲିଗୁଡ଼ା ଏନ୍‍ଏସି ଅଞ୍ଚଳକୁ ଗତ ୧୫ଦିନ ଏବଂ ଫୁଲବାଣୀ ପୌର ପରିଷଦର ୧୨ ଟି ୱାର୍ଡ଼କୁ ମଧ୍ୟ ୧୫ ଦିନ ହେଲା ସଂପୂର୍ଣ୍ଣଭାବେ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ତେବେ କଣ୍ଟେନମେଣ୍ଟ ଅଞ୍ଚଳ ମାନଙ୍କରେ ପ୍ରଶାସନ ପକ୍ଷରୁ ଘରେ ଘରେ ସମସ୍ତ ଅତିଆବଶ୍ୟକିୟ ସାମଗ୍ରୀ ପହଁଚାଯିବା ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପ୍ରତ୍ୟେକ ସାହିରେ ବାଡ଼ ପକାଇ ଦେଇଥିବା ଯୋଗୁଁ ତାହା ସମ୍ଭବ ହେଉନାହିଁ। ତେବେ ବିଶେଷ କରି ବରିଷ୍ଠମାନେ ଏଥି ପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି। ଗୋଟିଏ ପଟେ ଘରୁ ବାହାରିଲେ ଫାଇନ୍‍ର ଭୟ ଥିବା ବେଳେ ଅନ୍ୟପଟେ ପ୍ରଶାସନିକ କାର୍ୟ୍ୟାନୁଷ୍ଠାନ ଏବେ ଚିନ୍ତାରେ ପକାଇଲାଣି କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ଅଧିବାସୀଙ୍କୁ। ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି। ତେବେ ଫୁଲବାଣୀ ସହରର ଯେଉଁ ସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି ସେହି ସବୁ ଅଞ୍ଚଳରେ କଣ ପରିସ୍ଥିତି ଅଛି ତାହାକୁ ସମୀକ୍ଷା କରିବା ପାଇଁ ଉପଜିଲାପାଳ ଶୁରେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ତହସିଲଦାର ଦିନମଣି ନାୟକ , ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବେ ବେହେରା , ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ସମେତ ସ୍ୱଚ୍ଛସାଥୀ , ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟ୍‍ କନ୍ଧମାଳର ସଦସ୍ୟ ଓ ଅନ୍ୟମାନେ ବିଭିନ୍ନ ସାହି ବୁଲି ଲୋକଙ୍କୁ ସଚେତନ କରିବା ସହିତ ଘର ନବାହାରିବା ପାଇଁ ପରାମର୍ଶ ଦେଇଥିଲେ। ଏଥି ସହିତ ଯେଉଁମାନେ ଅମାନିଆ ହୋଇଥିଲେ ସେହି ମାନଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ