କ’ଣ ଖାଇବ ୬ ମାସର ଶିଶୁ?
୬ ମାସ ପର୍ଯ୍ୟନ୍ତ ଶିଶୁକୁ ମା’କ୍ଷୀର ହେଉଛି ସମ୍ପୂର୍ଣ୍ଣ ଆହାର । ଏହି ବୟସରେ ମା’କ୍ଷୀରର କୌଣସି ବିକଳ୍ପ ନାହିଁ । କାରଣ ଏଥିରେ ଥିବା ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଅନ୍ୟ କୌଣସି ଖାଦ୍ୟରେ ନଥାଏ । ୬ ମାସ କେବଳ ମା’କ୍ଷୀର ପିଇବା ଦ୍ୱାରା ଶିଶୁର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ । ଏହି ସମୟରେ ଅନ୍ୟ କୌଣସି ଖାଦ୍ୟର ଆବଶ୍ୟକତା ପଡ଼େ ନାହିଁ ।
ହେଲେ ଜାଣିଛନ୍ତି କି, ଠିକ୍ ୬ ମାସ ପରେ ଶିଶୁ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟରେ ବୃଦ୍ଧି ତ୍ୱରିତ ବେଗରେ ହୋଇଥାଏ । ସେଥିପାଇଁ ଶିଶୁକୁ ଅଧିକ ଖାଦ୍ୟର ଆବଶ୍ୟକତା ପଡ଼େ । ହେଲେ ଅନେକ ମହିଳା ଜାଣିନଥାନ୍ତି ଏହି ବୟସରେ ଛୁଆଟିକୁ କ’ଣ ଖାଇବାକୁ ଦିଆଯିବା ଉଚିତ୍ ।
ଏହି ସମୟରେ ଶିଶୁ ବହୁତ କମ୍ ପରିମାଣର ଖାଦ୍ୟ ଗ୍ରହଣ କରୁଥିବାରୁ ବଢୁଥିବା ଶିଶୁ ଲାଗି ଭରପୁର ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ତାହା ହେଲେ ଆସନ୍ତୁ ଜାଣିବା ବଢ଼ୁଥିବା ଶିଶୁକୁ କେଉଁ ଖାଦ୍ୟ ଖୁଆଇବା ଜରୁରୀ ।
ଉପଯୁକ୍ତ ପରିମାଣର ସଠିକ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଶିଶୁକୁ ଖୁଆନ୍ତୁ । ସୁଜି ଖିରି, ଖେଚୁଡ଼ି, ଡାଲି ପାଣି, କଦଳୀ ଚକଟା ଖୁଆନ୍ତୁ । ଶିଶୁର ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଆଇରନ୍ ଆବଶ୍ୟକତା ପଡୁଥିବାରୁ ଗାଜର, କୋବି, କଖାରୁ, ପାଳଙ୍ଗ ଶାଗ ସିଝାଇ ଲୁଣ ପକାଇ ଛୁଆକୁ ଖୁଆଇବେ ।
ଏହି ସମୟରେ ଶିଶୁକୁ ମାଛ ମାଂସ ପରି କୌଣସି ଗରିଷ୍ଠ ଖାଦ୍ୟ ଖୁଆନ୍ତୁନାହିଁ । କାରଣ ଏହା ସହଜରେ ହଜମ ହେବ ନାହିଁ । ଏପରିକି ଭାତ ଓ ସୁପ୍ ମଧ୍ୟ ଖୁଆନ୍ତୁ ନାହିଁ ।
ଦୁଇ ବର୍ଷ ହେବା ଯାଏଁ ଶିଶୁକୁ ବାହାର ଖାଦ୍ୟ ଖୁଆଇବା ସହ ସ୍ତନ୍ୟପାନ ନିହାତି ଜରୁରୀ । ଏହା ସହ ଶିଶୁକୁ ଏକାଥରକେ ସବୁ ଖାଦ୍ୟ ଖୁଆନ୍ତୁ ନାହିଁ । ଦୁଇଘଣ୍ଟା ଅନ୍ତରରେ ପାଣି ପିଇବାକୁ ଦିଅନ୍ତୁ ।
ଶିଶୁକୁ ଯେପରି ଆଲର୍ଜି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କିଛି ଖାଦ୍ୟ ଖୁଆଇବାବେଳେ ଶିଶୁଙ୍କୁ ଆଲର୍ଜି ସମସ୍ୟା ଦେଖାଯାଇଥାଏ । ଶିଶୁଙ୍କୁ କିଛି ଖାଦ୍ୟ ପସନ୍ଦ ନ ଆସିଲେ ସେମାନେ ପାଟିରୁ ବାହାର କରନ୍ତି ଓ ମୁହଁ ଫୁଲାଇଥାନ୍ତି । ତେଣୁ ଏସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ