କଥାରେ ନୁହେଁ କାମରେ କରିବା ପରିବେଶ ସୁରକ୍ଷା

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ପ୍ରକୃତିର ବିନାଶ ହିଁ ପ୍ରାକୃତିକ ବିପର୍ଯ୍ୟୟର ମୂଳ କାରଣ I ଏହାକୁ ମର୍ମେ ମର୍ମେ ଉପଲବ୍ଧି କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆ ଭାଇମାନେ ପାଳିଛନ୍ତି ବିଶ୍ଵ ପରିବେଶ ଦିବସ I ସାରା ବିଶ୍ଵ ଆଜି କରୋନା ଆତଙ୍କରେ ଆତଙ୍କିତ ଥିଲାବେଳେ ଓଡ଼ିଶାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନେ ଦିଶା ହୀନ ଭାବେ ସମୟ କାଟୁଛନ୍ତି I କିନ୍ତୁ ଏହାରି ଭିତରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ଅନ୍ତେବାସୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜୁଛନ୍ତି I କେଉଁଠି ନିଜ ପ୍ରତିଭାର ପରିଚୟ ଦେଇ ସଙ୍ଗରୋଧ କେନ୍ଦ୍ରର ମାନଚିତ୍ର ବଦଳାଇ ଦେଉଛନ୍ତି ତ କେଉଁଠି ମଧ୍ୟ ନିଜର ଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାସନର ପ୍ରଶଂସାଭାଜନ ହୋଇପାରୁଛନ୍ତି I ସେହିଭଳି ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ସେବା ମନୋବୃତ୍ତି ଏବଂ ଦକ୍ଷ ପରିଚାଳନା ଯୋଗୁଁ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପର୍ଯ୍ୟାୟ କ୍ରମେ ରହିଥିବା ସମସ୍ତ ପ୍ରବାସୀ ଓଡିଆ ନିଜର ଶୃଙ୍ଖଳିତ ଆଚରଣ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ଦ୍ଵାରା ପ୍ରଶଂସିତ ହୋଇପାରିଛନ୍ତି I ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଏହି ପଞ୍ଚାୟତର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ, ବନପାଳ ଆଦି ଅଧିକାରୀଙ୍କ ପ୍ରୋତ୍ସାହନରେ ବିଶ୍ଵ ପରିବେଶ ଦିବସ ପାଳିବା ସହ ସଙ୍ଗରୋଧ କେନ୍ଦ୍ରରେ ବୃକ୍ଷରୋପଣ କରିଛନ୍ତି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଆବାହନରେ ତଥା ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠI ତହସିଲଦାର ସରୋଜ କୁମାର ବେହେରା ଯୋଗ ଦେଇ ବୃକ୍ଷ ଅମୂଲ୍ୟ ସମ୍ପଦ ବୋଲି ମତ ବ୍ୟକ୍ତ କରିବା ସହ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅନ୍ତତଃ ଗୋଟିଏ ବୃକ୍ଷ ଲଗାଇବା ଉଚିତ୍ ବୋଲି ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥିଭାବେ ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଯୋଗ ଦେଇ ପଲ୍ଲୀ କବି ନନ୍ଦ କିଶୋର ବଳଙ୍କ ଗଛ ଓ କାଠୁରିଆ ‘ କବିତାର ଉଦାହରଣ ଦେଇ ବୃକ୍ଷର ମହତ୍ତ୍ଵକୁ ଉପସ୍ଥାପନ କରିଥିଲେ I କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା କଥାରେ ନୁହେଁ, ପରିବେଶ ସୁରକ୍ଷା କାମରେ କରି ଦେଖାଇବା ବୋଲି ମତ ଦେଇଥିବା ବେଳେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ପ୍ରକୃତିର ସୁରକ୍ଷା ହିଁ ଆମକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ I ସରପଞ୍ଚ ଶ୍ରୀ ଡାକୁଆ ଅନ୍ତେବାସୀମାନଙ୍କୁ ସଚେତନ କରିବା ସହ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ I ଏହା ସହ ସରପଞ୍ଚ ଶ୍ରୀ ଡାକୁଆ ସୁଦୂର ଗୁଜୁରାଟ, ମହାରଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ଆଦି ବାହାର ରାଜ୍ୟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ମୋ ପରିବାରର ଜଣେ ଜଣେ ସଦସ୍ୟ ବୋଲି ସମ୍ବୋଧନ କରିବା ସହ ସେମାନଙ୍କ ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ କୃତଜ୍ଞ ମନେ କରିବା ସହ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ Iଏହି ଅବସରରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ଅନ୍ତେବାସୀମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ କରି ସଙ୍ଗରୋଧ ଅବଧି ପରେ ଏହାକୁ ନିଜ ବାଡି ବଗିଚାରେ ଲଗାଇ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ର ଅଧୀକ୍ଷକ ସିମାଞ୍ଚଳ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର ନୋଡାଲ୍ ଅଧିକାରୀ ବିଦ୍ୟାଧର ସେଠୀ, ଜିଆର୍ ଏସ୍ ରାମ ଚନ୍ଦ୍ର ପାଣିଗ୍ରାହୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିଥିଲେ I ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀଙ୍କ ସମେତ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ