କଦର୍ମାରେ ଭର୍ତ୍ତି ରାଜପଥ ଦୁର୍ଘଟଣା ଘଟି ୨ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ କିଛି ଦିନ ଧରି ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧିନସ୍ଥ ହିଞ୍ଜିଳିକାଟୁ-ତାରାତାରିଣୀ ୩୬ନଂ ରାଜ୍ୟ ରାଜପଥ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ହିଞ୍ଜିଳି-ଖରିଡାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ପଙ୍କ କଦର୍ମାରେ ପରିପୂର୍ଣ୍ଣ ହୋଇଛି।ଦୈନିକ ନୁଆଁ ବନ୍ଧ ପୋଖରୀରୁ ବହୁ ଟ୍ରାକ୍ଟରରେ ଶହ ଶହ ସଂଖ୍ୟକ ପଙ୍କୁଆ କାଦ ମାଟି ଚାଲାଣ ହେଉଥିବା କାରଣରୁ ସଦା ସର୍ବଦା ଗହଳ ଚହଳ ରହୁଥିବା ରାସ୍ତା ଦୁଇଟି ଏବେ ମରଣଯନ୍ତା ପାଲଟିଛି।ବିପଦପୂର୍ଣ୍ଣ ହୋଇଥିବା ଏହି ୨ ସଡକ ରାସ୍ତାରେ ଶନିବାର ରାତ୍ରରେ ବାଇକ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି।ଆହତ ଦ୍ବୟ ହେଲେ ସ୍ଥାନୀୟ ବ୍ଲକର କର୍ମଚାରୀ ବୃନ୍ଦାବନ ମହାରଣା ଏବଂ ଖରିଡା ଗ୍ରାମର ସୂର୍ଯ୍ୟ ପ୍ରଧାନ। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପରେ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ ବାଇକ ଯୋଗେ ସୂର୍ଯ୍ୟ ଖରିଡାକୁ ଯିବାବାଟରେ ପୂର୍ବରୁ କାଦ ପଚପଚ ଅବସ୍ଥାରେ ଥିବା ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏହାର କିଛି ସମୟ ପରେ ବ୍ଲକ ଅଫିସରୁ କାର୍ଯ୍ୟ ସାରି ଜିଆରଏସ ବୃନ୍ଦାବନ ମହାରଣା ବାଇକ (ଓଆର୦୭ଏନ ୭୬୬୫ ) ଯୋଗେ ପୁଟିଆ ପଦର ଫେରୁଥିବା ବେଳେ କାଦୁଅ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ।ସହଯୋଗୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ପୋଖରୀର କାଦୁଅ ମାଟିର ଶୁଖିଲା ଧୂଳିରେ ଦିନବେଳା ଶହ ଶହ ପଥଚାରୀ ଅଣ ନିଃଶ୍ବାସୀ ହେଉଥିବା ବେଳେ ରାତ୍ରୀ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ଅସୁରକ୍ଷିତ ହୋଇଛି।ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ୩୬ନଂ ରାଜପଥର ଏଭଳି କାଦୁଅ ଭର୍ତ୍ତି ସ୍ଥାନ ଅଞ୍ଚଳର ପଥଚାରୀଙ୍କ ଲାଗି ମରଣ ଯନ୍ତା ପାଲଟିଛି।ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ