କଦଳୀ ଗଛ ପୂଜା କରାଯାଏ କାହିଁକି?

ଉଦ୍ଭିଦ ବିଜ୍ଞାନ ଦୃଷ୍ଟିରେ ଯଦିବା କଦଳୀଗଛ ଏକ ଗଛ ନୁହେଁ, ଆକାର ପ୍ରକାର ଦୃଷ୍ଟିରୁ ସାଧାରଣ ଲୋକେ ଏହାକୁ ଗଛ ବୋଲି ବିଚାର କରନ୍ତି । ହିନ୍ଦୁମାନେ ଏହାକୁ ଅତି ପବିତ୍ର ଗଛ ବୋଲି ମାନନ୍ତି । ଏହାର ସବୁ ଅଂଶ ଲୋକମାନଙ୍କର ବିଭିନ୍ନ କାମରେ ଲାଗେ । ଏହାକୁ କାଟି ପୂଜାପର୍ବାଣୀରେ ଦୁଆର ମୁହଁରେ ପୋତାଯାଏ । ପତ୍ରରେ ଭୋଜନ ପରିବେଷଣ କରାଯାଏ ।
ପ୍ରାଚୀନ ଶାସ୍ତ୍ରରେ କଦଳୀଗଛ ଦେବଗୁରୁ ବୃହସ୍ପତିଙ୍କ ତୁଲ୍ୟ ବୋଲି କୁହାଯାଇଛି । ଜଣେ ବୃହସ୍ପତି ରତ୍ନ ଧାରଣ କରିବାକୁ ଅସମର୍ଥ ହେଲେ, କଦଳୀ ଚେର ଖଣ୍ଡେ ଧାରଣ କଲେ ସମାନ ଫଳ ପାଇବେ । ଘରବାଡ଼ିରେ କଦଳୀଗଛଟିଏ ଲଗାଇଲେ ଘରେ ଦେବଗୁରୁ ବୃହସ୍ପତିଙ୍କୁ ରଖିବା ସହ ସମାନ ବୋଲି କୁହାଯାଏ । ଗୁରୁବାର ଦିନ ଲୋକେ କଦଳୀ ଗଛ ପୂଜି ବୃହସ୍ପତିଙ୍କ ଆଶିଷ ଲାଭ କରନ୍ତି ।
ଅନ୍ୟାନ୍ୟ ପତ୍ରଗୁଡ଼ିକଠାରୁ କଦଳୀପତ୍ର ଅତି ପବିତ୍ର ହୋଇଥିବା ସବୁ ପ୍ରକାର ବୈଦିକ କର୍ମକାଣ୍ଡରେ ବ୍ୟବହୃତ ହୋଇଥାଏ । କଦଳୀକୁ ସବୁଠୁ ଶକ୍ତିପ୍ରଦାୟକ ଫଳ ବୋଲି କହନ୍ତି । ଏହା ଶାସ୍ତ୍ରରେ ମିଳୁଥିବା ୧୦୦% ଅଧିକ କ୍ୟାଲୋରୀ ଥିବା ଫଳ । ଯଦି କେହି ଗୁରୁଦକ୍ଷିଣା ବାବଦରେ ଅର୍ଥ କିମ୍ବା ଉପହାର ଦେବାକୁ ଅସମର୍ଥ, ସେ ଗୁରୁଙ୍କୁ କେତୋଟି କଦଳୀ ଅର୍ପଣ କରିବାକୁ ଉପଦେଶ ଦିଆଯାଇଛି । ପରିବାରର ସୁଖ ସମୃଦ୍ଧି, ସ୍ୱଚ୍ଛଳ ଆର୍ଥିକ ପରିସ୍ଥିତି, ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କଦଳୀ ଅର୍ପଣ କରାଯାଏ । ପୌଷ ଶୁକ୍ଳପକ୍ଷ ଏକାଦଶୀରେ ଲକ୍ଷ୍ମୀନାରାୟଣଙ୍କୁ ଏବଂ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ କାର୍ତ୍ତିକେୟଙ୍କୁ କଦଳୀ ଅର୍ପଣ କଲେ ଶୁଭଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତି କଦଳୀ ଗଛକୁ ବାହା ହେଲେ ଦୋଷ ଖଣ୍ଡନ ହୁଏ । ତେଣୁ ପରେ ସେ ଦିନକରେ ଅଣମାଙ୍ଗଳିକ ବ୍ୟକ୍ତିଙ୍କୁ ବିବାହ କରିପାରନ୍ତି । କଦଳୀପତ୍ର ଲାଗି କରାଗଲେ ଗଣେଶ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । କେତେକ ଅଞ୍ଚଳରେ କଦଳୀ ବ୍ରତ ପାଳନ ଅବସରରେ କଦଳୀ ଗଛ ପୂଜା କରାଯାଏ । କୁହାଯାଏ ଫୁଲ ଓ ଫଳ ଧାରଣ କରିଥିବା କଦଳୀ ଗଛ ପୂଜା କଲେ ପରିବାରର ମଙ୍ଗଳ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ