କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାରେ ଅନୁମୋଦନ ନେଇ ସ୍ୱତନ୍ତ୍ର ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସିଲେ, ବସିଲେ, ବୈଠକ ଆରମ୍ଭ ହେବା ପୂର୍ବରୁ କକ୍ଷ ତ୍ୟାଗ କରି ଚାଲିଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ । ଗୁରୁବାର ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲ।। କିନ୍ତୁ ଏହି ବୈଠକ ରୁ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ବହୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ମାନେ କକ୍ଷ ତ୍ୟାଗ କରିଥିବା ଦେଖିବାକୁ ମିଳିଛି । ଆଜିର ସ୍ୱତନ୍ତ୍ର ବୈଠକ ନିମନ୍ତେ ସେମାନଙ୍କୁ ୭ ଦିନ ପୂର୍ବରୁ ସେମାନଙ୍କୁ ନୋଟିସ୍ ପ୍ରଦାନ କରାଯାଇନାହିଁ ଏବଂ ପ୍ରଥମେ ଜିଲ୍ଲା ପରିଷଦ ବୈଠକ କରାଯାଉ, ପରେ ଏଭଳି କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉ ବୋଲି ବହୁ ସଭ୍ୟ/ ସଭ୍ୟା ମାନେ କହିଥିଲେ । ପରେ ସମସ୍ତେ ମିଶି କକ୍ଷତ୍ୟାଗ କରିଥିଲେ । ଏନେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବୈଠକ ନିମନ୍ତେ ସେମାନଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି । ଆସନ୍ତା ୨୭ ତାରିଖ ଦିନ ଏନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି ।


