କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ସାମାଜିକ ସଂଗଠନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଏହି ଉତ୍ସବକୁ ଆୟୋଜନ କରାଯାଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍ କ୍ରୀଡ଼ା ଅଧିକାରୀ ଗୋପୀ ମୋହନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କ୍ରୀଡ଼ାର ଉପାଦେୟତା ସମ୍ପର୍କରେ ଛାତ୍ର, ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ସାମାଜିକ କର୍ମୀ ଚନ୍ଦ୍ରଶେଖର ପାଲ, ତ୍ରିଲୋଚନ ବେଉରା, ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଖେଳକୁଦ ଦ୍ୱାରା ଛାତ୍ର, ଛାତ୍ରୀଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ସନ୍ତୁଳିତ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଙ୍ଗୀତ ଚୌକି, ଅଖା ଦୌଡ଼, ଆଳୁ ଚାମଚ, ୧୦୦ ମିଟର ଦୌଡ଼, ବେଙ୍ଗଡ଼ିଆଁ, ଚକୋଲେଟ୍ ଖିଆ, ଗଣିତ ଦୌଡ଼, ପୁଚି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜାନୁୟାରୀ ମାସ ୧୦ ତାରିଖ ଉଦ୍ଯାପନୀ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ସୂଚନା ଦେଇଛନ୍ତି ।


