କନ୍ଦଳେଇ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଉପକଣ୍ଠ ଛତାବର ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ କର୍ମୀ, ବିଦ୍ୟାର୍ଥୀ ଓ ଅଭିଭାବକମାନେ ଯୋଗଦାନ କରି ବିଦ୍ୟାଳୟର ଭବିଷ୍ୟତ ନେଇ ଆଲୋକପାତ କରିଥିଲେ ।ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ ଯୋଗଦେଇ ନିଜର ବକ୍ତବ୍ୟରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶକୁ ଆହୁରି କିପରି ସୁଦୃଢ କରାଯାଇ ପାରିବ, ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିନିମନ୍ତେ ଅଭିଭାବକ, ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ଅବଦାନ ରହିଲେ ହିଁ ବିଦ୍ୟାଳୟ ଏକ ସାର୍ଥକ ମଣିଷ ଗଢା କାରଖାନାଟିଏ ହୋଇପାରିବ ବୋଲି ଶ୍ରୀ ଡ଼େଙ୍ଗ କହିଥିଲେ । ସାମାଜିକ ସଂଗଠନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୂପେ ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ଯୋଗେନ୍ଦ୍ର ଜୈନ, ଇଂ ବାସୁଦେବ ମିଶ୍ର,ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପରିଷ୍କାର ପରିଚ୍ଛନ୍ନତା, ପାଠପଢା, ଶାନ୍ତିଶୃଙ୍ଖଳା ରକ୍ଷା କରିବା, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା, ନିୟମିତ, ସତ୍ୟବାଦିତା, ସକ୍ରିୟ ଅଂଶଗ୍ରହଣ, ଶାନ୍ତସରଳ ଇତ୍ୟାଦି ଗୁଣର ୧୦ଜଣ ଆଦର୍ଶ ବିଦ୍ୟାର୍ଥୀଙ୍କୁ ଅତିଥିମାନେ ମେଡ଼ାଲ ପ୍ରଦାନ କରି ପୁରସ୍କୃତ କରିଥିଲେ