କନ୍ଧମାଳରେ ପ୍ରଥମ ଥର ପାଇଁ କଡକ ନାଥ କୁକୁଡ଼ା ଚାଷ : ରୋଷେଇ ଘର ଛାଡି କୁକୁଡ଼ା ଫାର୍ମରେ ସସ୍ମିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ବାବଲମ୍ବୀ ହେବାକୁ ରୋଷେଇ ଘର ଛାଡି କୁକୁଡା ଫାର୍ମରେ ସସ୍ମିତା। କନ୍ଧମାଳରେ ପ୍ରଥମ ଥର ପାଇଁ କଡକନାଥ କୁକୁଡା ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ଆରବାକା ଗାଁର ସସ୍ମିତା ପଟ୍ଟନାୟକ। କଡକନାଥ କୁକୁଡା ଚାଷ ମଧ୍ୟପ୍ରଦେଶରେ ହୁଏ। ଏହି କୁକୁଡାର ମାଂସ ସୁସ୍ବାଦ ଥିବା ବେଳେ ଏହା ବହୁ ପୁରୁଣାରୋଗ ପାଇଁ ବେଶ ଉପଚାର। ବିଶେଷତଃ ମଧୁମେୟ ଓ ହୃଦରୋଗୀଙ୍କ ପାଇଁ ଏହି କୁକୁଡା ମାଂସ ଫଳପ୍ରଦ ହୋଇଥାଏ। ତେଣୁ କଡକନାଥ କୁକୁଡାର ବେଶ ଚାହିଦା ରହିଛି। ହେଲେ କନ୍ଧମାଳରେ ଏହି କୁକୁଡା ଚାଷ କେହି କରି ନାହାନ୍ତି। ପ୍ରଥମ ଥର ପାଇଁ ସସ୍ମିତା ଏହି କୁକୁଡା ଚାଷ କରିବାକୁ ମନ ବଳାଇ ରୋଷେଇ ଘର ଛାଡି ଫାର୍ମରେ ପହଞ୍ଚିଛନ୍ତି। ନିଜସ୍ୱ ଖର୍ଚ୍ଚରେ କୁକୁଡା ଫାର୍ମ କରିବା ସହ କୁକୁଡା ଆଣି ରଖିଛନ୍ତି। ଛୋଟ କୁକୁଡା ବଡ ହେବାକୁ ୪ରୁ ୫ ମାସ ଲାଗିବ। କୁକୁଡା ବଡ ହେଲେ ଗୋଟା ୬୦୦ ଟଙ୍କାରେ ବିକ୍ରି ହେବ। ଅବଶ୍ୟ ବାହାର ରାଜ୍ୟର ଏହାର ଦାମ ୮୦୦ରୁ ୧୦୦୦ ଟଙ୍କା ପଡୁଛି ବୋଲି କହନ୍ତି ସସ୍ମିତା। ଗୋଟିଏ ଛୋଟ କୁକୁଡାର ଦାମ ହେଉଛି ୮୦ ଟଙ୍କା। ଭୁବନେଶ୍ବରରୁ ମଗାଇ କୁକୁଡା ସବୁକୁ ଫାର୍ମରେ ରଖାଯାଇଛି। ବର୍ତ୍ତମାନ ୫୦୦ରୁ ୬୦୦ କୁକୁଡା ଫାର୍ମରେ ଅଛନ୍ତି। ଗୋଟିଏ କିଲୋ ଓଜନର ହେଲେ କୁକୁଡା ବିକ୍ରି କରାଯିବ ବୋଲି ସେ କହିଛନ୍ତି l ଏହି କୁକୁଡା ନେବାକୁ ବହୁ ଲୋକ ବରାଦ କରି ସାରିଥିବା ସେ କହିଛନ୍ତି। ଏବେ ପ୍ରତିଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସସ୍ମିତା ଫାର୍ମକୁ ଆସି କୁକୁଡାଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି। ଏହି କାମରେ ତାଙ୍କୁ ସ୍ବାମୀ ଶରତ ପଟ୍ଟନାୟକ ସାହାଯ୍ୟ କରୁଥିବା ସେ କହିଛନ୍ତି। ଯଦି କୁକୁଡା ଭଲ ବିକ୍ରି ହୁଏ ମାସକୁ ୫୦ରୁ ୭୦ ହଜାର ଟଙ୍କା ରୋଜଗାର କରିବାର ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ନିଜସ୍ବ ଅର୍ଜିତ ଅର୍ଥରେ ସସ୍ମିତା କନ୍ଧମାଳରେ ପ୍ରଥମ ଥର ପାଇଁ କଡକନାଥ କୁକୁଡା ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି। ଯଦି ସରକାରୀ ସହାୟତା କିମ୍ବା ସହଯୋଗ ମିଳେ ତାହା ହେଲେ ବଡ ଫାର୍ମ କରି ବହୁତ କୁକୁଡା ରଖିବାକୁ ସେ ଆଶା ରଖିଛନ୍ତି। ସେ ଯାହା ହେଉ ସ୍ବାବଲମ୍ବୀ ହେବା ପାଇଁ ରୋଷେଇ ଘର ଛାଡି କୁକୁଡା ଫାର୍ମରେ ପହଞ୍ଚି ସସ୍ମିତା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ