କନ୍ଧମାଳ ଜିଲ୍ଲା କାରଗାର ପୁଣି ଚର୍ଚ୍ଚାରେ, କର୍ମଚାରୀଙ୍କ ବାଇକ ଧରି ଦୁଷ୍କର୍ମ ଆସାମୀ ଛୁ!
ଫୁଲବାଣୀ(ଯୁଗାବ୍ଦ ନ୍ୟୁଜ) କନ୍ଧମାଳ ଜିଲ୍ଲା କାରବାର ପୁଣି ଚର୍ଚ୍ଚାରେ। ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଯୋଗୁଁ କେବେ ବେଳେ କାରାଗାର ଭି୍ତରେ କଏଦୀଙ୍କ ମଧ୍ୟରେ ମାଡ଼ପିଟ ହୁଏ ତ ଆଉ କେତେ ବେଳେ କଏଦୀ ଆଖିରେ ଧୂଳି ଦେଇ ଛୁ ମାରି ଦେଉଛନ୍ତି। ଜେଲରେ ଜଣେ କଏଦୀଙ୍କର ଆକ୍ରମଣରେ ଆଉ ଜଣେ କଏଦୀର ମୃତ୍ୟୁ ହୋଇଥିବା ଘଟଣାକୁ ୬ ମାସ ନ ପୂରୁଣୁ ସେହି ଦାରିଙ୍ଗବାଡି ଅଞ୍ଚଳର ୨୦ ବର୍ଷ ସଜା ଭୋଗୁଥିବା ଜଣେ ଦୁଷ୍କର୍ମ ଆସାମୀ ଜଣେ କର୍ମଚାରୀଙ୍କ ବାଇକ ଧରି ଚମ୍ପଟ ମାରି ଫେରାର ହୋଇଯାଇଛି। ଗତକାଲି ଅପରାହ୍ନ ୫ଟାରେ ଏହି ଘଟଣା ଘଟିଛି।
କାରଗାର ଭିତରେ ପରିବା ବଗିଚାରେ କଏଦୀମାନେ କାମ କରୁଥିଲେ। ସେମାନଙ୍କୁ ଜଗି ରହିଥିଲେ ମୁଖ୍ୟ ୱାଡେନଙ୍କ ସହ ଅନ୍ୟମାନେ। କୌଶଳ କ୍ରମେ ଦୁଷ୍କର୍ମ ଆସାମୀ ଗୋପି ନାୟକ କାରଗାର ପଦାକୁ ଆସିଥିଲା। ତାପରେ ଜେଲର ଜଣେ କର୍ମଚାରୀ ୱାଡେନ ବିଭୂତି ଦାସଙ୍କ ବାଇକ ଧରି ଛୁ ମାରି ଦେଇଥିଲା। ବହୁ ଖୋଜାଖୋଜି ପରେ ଗୋପି ନାୟକର ପତ୍ତା ମିଳି ନଥିଲା। ତାପରେ ଏ ନେଇ ଜେଲ ଅଧିକ୍ଷକ ଅନୁସୂୟା ଜେନା ଏସପିଙ୍କ ସମେତ ଫୁଲବାଣୀ ଟାଉନ ଆଦର୍ଶ ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସ ତୁରନ୍ତ ତନାଘନା କରିଥିଲେ ବି ଫେରାର ଆସାମୀ ଗୋପିର କେଣସି ଖୋଜଖବର ପାଇବାକୁ ସକ୍ଷମ ହୋଇ ପାରିନାହିଁ।ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ୱାଡେନ ଗୁମନ ମଣ୍ଡଳ ଓ ୱାଡନେ ବିଭୂତି ଦାସଙ୍କୁ ନିଲମ୍ବନ କରାଯାଇଥିବା ନେଇ ଜେଲ ଅଧିକ୍ଷକ ଅନୁସୂୟା ଜେନା କହିଛନ୍ତି। ଏ ନେଇ ବିଭାଗୀୟ ତଦନ୍ତ ଚାଲିଛି। ଏଥିରେ ଆଉ ଯାହାର ଅବହେଳା ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜେଲ ଡିଆଇଜି ରଘୁନାଥ ମାଝି କହିଛନ୍ତି। କିଭଳି ଆସାମୀ ଜେଲ ବାହାରକୁ ଆସିଲା ଆଉ କର୍ମଚାରୀ ୱାଡେନ ବିଭୂତି ଦାସଙ୍କ ବାଇକ ଚାବି ପାଇଲା ଏ ନେଇ ସନ୍ଦେହ ଦୃଢୀଭୂତ ହୋଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଶା କରାଯାଉଛି।ଗତ ଡିସେମ୍ବର ୧ ତାରିଖରେ କଏଦୀ କାହ୍ନୁଚରଣ ପ୍ରଧାନଙ୍କ ଆକ୍ରମଣରେ ପୁଅକୁ ହତ୍ୟା କରି ଆଜୀବନ ସଜା ଭୋଗୁଥିବା କଏଦୀ ଦାରିଙ୍ଗବାଡି ଅଞ୍ଚଳର ଲକ୍ଷ୍ମଣ ନାୟକ(୭୫)ଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଜେଲରୁ ଆସାମୀ ଚମ୍ପଟ ମାରିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।